ଆଜି ବିଶ୍ୱ ହସ୍ତୀ ଦିବସ

ଆଜି ବିଶ୍ୱ ହସ୍ତୀ ଦିବସ
Samaya Live News Picture
Published On

ବାରଙ୍ଗ : ଆଜି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ଅଗଷ୍ଟ ୧୨ ତାରିଖକୁ ସାରା ବିଶ୍ୱରେ ହସ୍ତୀ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ଭୁବନେଶ୍ୱର ବାରଙ୍ଗ ସ୍ଥିତ ନନ୍ଦନକାନନରେ ମହାସମାରୋହରେ ହସ୍ତୀ ଦିବସ ପାଳିତ ହେବ । ଏଥିପାଇଁ ପ୍ରାଣୀ ଉଦ୍ୟାନରେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଲୁପ୍ତି ଆଶଙ୍କାରେ ଥିବା ଗଜରାଜଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ହାତୀ-ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ହସ୍ତୀ ଦିବସ ପାଳନର ଚିନ୍ତାଧାରା ୨୦୧୧ ମସିହାରେ ଆସିଥିଲା । ୨୦୧୨ ଅଗଷ୍ଟ ୧୨ରେ ପ୍ରଥମଥର ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା । ଓଡ଼ିଶାରେ ମଧ୍ୟ ବିଶ୍ୱ ହସ୍ତୀ ଦିବସର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପର୍ଯ୍ୟଟକ, ବନ୍ୟପ୍ରାଣୀ ପ୍ରେମୀ, ସ୍କୁଲ୍‌ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଏ ।

ଏବେ ନନ୍ଦନକାନନରେ ୪ଟି ହାତୀ ରହିଛନ୍ତି । ବଡ଼ ହାତୀ ମଧ୍ୟରେ ହୀରା ଓ ବାସନ୍ତୀ ଏବଂ ଛୋଟ ହାତୀ ମଧ୍ୟରେ ଆଶା ଓ ନିଶା ରହିଛନ୍ତି l ଏହି ଦିବସ ଅବସରରେ ନନ୍ଦନକାନନରେ ଆଜି ହାତୀ ମାନଙ୍କୁ ଗାଧୋଇ ଦିଆଯିବ। ସେମାନଙ୍କୁ ବିଭିନ୍ନ ଫଳମୂଳ ସେଓ, କଦଳୀ, ଆଖୁ, ତରଭୁଜ ଆଦି ଖାଇବାକୁ ଦିଆଯିବ। ସମସ୍ତ ମାହୁନ୍ତଙ୍କୁ ପୁରସ୍କୃତ କରାଯିବ । ଏଥିସହ ହାତୀ ମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।

ସେହିପରି,ବିଶ୍ବ ହସ୍ତୀ ଦିବସ ଅବସରରେ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ବବଲୁ କୁମକୀ ହାତୀଙ୍କ ଜୀବନ କାହାଣୀ ଏକ ବିଶେଷ ଅର୍ଥ ରଖେ। ଏହା କେବଳ ଏକ ହାତୀଛୁଆର ଉଦ୍ଧାର ନୁହେଁ, ବରଂ ମନୁଷ୍ୟର ଯତ୍ନ, ଧୈର୍ଯ୍ୟ ଓ ପ୍ରକୃତି ପ୍ରତି ଭଲପାଇବାର ଏକ ଉଜ୍ଜ୍ୱଳ ଉଦାହରଣ। 

୨୦୧୪ ମସିହା ଡିସେମ୍ବରରେ ଶିମିଳିପାଳର ଘନ ଜଙ୍ଗଲରେ ଏକ ଛୋଟ ହାତୀଛୁଆ ଏକ ଗର୍ତ୍ତରେ ପଡ଼ିଯାଇଥିଲା। ସେ ସମୟରେ ସେ ଅତି ଛୋଟ ଥିଲା ଓ ତା’ର ମା’ କିମ୍ବା ଦଳ ଠାରୁ ବିଛିନ୍ନ ହୋଇଯାଇଥିଲା। ବନବିଭାଗ ଉଦ୍ଧାର କରି ପୁନର୍ବାର ହାତୀପଲ ସହିତ ଯିବାକୁ ଯୋଜନା କରି ବିଫଳ ହୋଇଥିଲା। କାରଣ ମଣିଷ ଛୁଇଁ ଥିବା ସଦସ୍ୟକୁ ହାତୀମାନେ ଗ୍ରହଣ କରିନଥାନ୍ତି । ସମ୍ପୂର୍ଣ୍ଣ ଅନାଥ ଓ ଅସହାୟ ଅବସ୍ଥାରେ ଥିବା ଏହି ଛୁଆକୁ ତତ୍କାଳୀନ ଡୁକୁରା ରେଞ୍ଜର ବଟକୃଷ୍ଣ ପାଢୀଙ୍କ ପ୍ରଚେଷ୍ଟାରେ ବନ ବିଭାଗର କର୍ମଚାରୀମାନେ ତା’ର ଲାଳନପାଳନ ଦାୟିତ୍ୱ ନେଇ ନାମ ରଖିଥିଲେ ବବଲୁ । ଏହି ସମୟରେ ନିଜର ଶାବକ ଲକ୍ଷ୍ମୀକୁ ହରାଇ ଶିମିଳିପାଳରେ  ବନ୍ଦୀ ପ୍ରାୟ ଜୀବନ କାଟୁଥିବା ମା’ ହାତୀ ଶୋଭା ତା’ଙ୍କ ପାଳିତ ମା’ ଭାବେ ଦାୟିତ୍ୱ ନେଇଥିଲେ । ବନ କର୍ମଚାରୀମା ମାନଙ୍କ ଆପ୍ରାଣ ଉଦ୍ୟମ ଏବଂ ମା' ଶୋଭା ର ପ୍ରତ୍ୟକ୍ଷ ଲାଳନ ପାଳନ ରେ ଆଜି ବବ୍ଲୁ ୧୩ ବର୍ଷରେ ପଦାର୍ପଣ କରିଛି ।

ଧୀରେ ଧୀରେ ବବଲୁକୁ ବଡ଼ କୁମକୀ ହାତୀ ଭାବେ ପ୍ରଶିକ୍ଷଣ ଦିଆଯାଇଛି । କୁମକୀ ହାତୀମାନେ ସାଧାରଣତଃ ବନ୍ୟ ହାତୀଙ୍କୁ ନିୟନ୍ତ୍ରଣ କରିବା, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଓ ମନୁଷ୍ୟ-ହାତୀ ସଂଘର୍ଷ କମାଇବାରେ ବ୍ୟବହୃତ ହୁଅନ୍ତି । ବବଲୁ ବନବିଭାଗର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ ନିଭାଉଛି ।

Tags: