ଦେବ ଦମ୍ପତିଙ୍କ ବିବାହ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର

ଦେବ ଦମ୍ପତିଙ୍କ ବିବାହ ପାଇଁ ଉତ୍ସବ ମୁଖର  ସମ୍ବଲପୁର ସହର
Samaya Live News Picture
Published On

ସମ୍ବଲପୁର : ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ପରିବେଶ । ଲୋକାଚାର ଅନୁସାରେ, ଆଜି ମହାଦେବ ଓ ମା’ ପାର୍ବତୀ (ଦେବ-ଦମ୍ପତି)ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଆଜି ରାତିରେ ସମ୍ବଲପୁରର ବିଭିନ୍ନ ଶିବାଳୟରୁ ବର ବେଶରେ ସଜ୍ଜିତ ହୋଇ ଲୋକନୃତ୍ୟ, ରୋଷଣୀ କରି ବାହାରିବେ ଦେବ ଦେବ ମହାଦେବ। ଶୀତଳ ଷଷ୍ଠୀର ମୁଖ୍ୟ ଆକର୍ଷଣମାନବୀୟ ଲୀଳା । ଏହି ଯାତ୍ରାରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କୁ ମାନବ ରୂପରେ କନ୍ୟାପିତା ଏବଂ ବରପିତାଙ୍କ ଦ୍ୱାରା ବୈଦିକ ରୀତିନୀତି ଅନୁଯାୟୀ ବିବାହ କରାଯାଇଥାଏ । ମହାପ୍ରଭୁ ନୃସିଂହନାଥ ନଗର ପରିକ୍ରମା କରି ସମସ୍ତ ଦେବାଦେବୀଙ୍କୁ ଏହି ଶୁଭ ବିବାହ ପାଇଁ ନିମନ୍ତ୍ରଣ କରାଯାଇଥାଏ ।

ବନ୍ଦାପଣା ଓ ଆଳତି ପରେ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାରରେ ଭୂଷିତ ହୋଇ ବିମାନ ବିରାଜମାନ କରିବେ ମହାଦେବ । କନ୍ୟାଘରେ ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁସାରେ ବରଯାତ୍ରୀଙ୍କୁ ସ୍ୱାଗତ କରାଯିବ। ଶିବ ବିବାହ ରାତିରେ ସମ୍ବଲପୁର ସହରର ବିଭିନ୍ନ ପଡ଼ାରୁ ବାହାରୁଥିବା ଦେବତାମାନଙ୍କର ଶୋଭାଯାତ୍ରା ଏବଂ ବରଯାତ୍ରୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ଏଥିରେ ଲୋକନୃତ୍ୟର ମହାମିଳନ ହୋଇଥାଏ ବୋଲି କୁହାଯାଏ । ଏହି ଶୋଭାଯାତ୍ରାରେ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସମ୍ବଲପୁରୀ ନୃତ୍ୟ, ବାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। ଏହାପୂର୍ବରୁ ଗତକାଲି ସରିଛି 'ହନୁମାନ ନିଉତା' ଓ 'ସାକ୍ଷୀଗୋପୀନାଥ ନିମନ୍ତ୍ରଣ'। ପରମ୍ପରା ଅନୁଯାୟୀ ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବଦେବୀଙ୍କ ମନ୍ଦିରକୁ ଯାଇ ଶିବ ବିବାହ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ସେପଟେ ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କ ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷୀଗୋପୀନାଥଙ୍କୁ ନିମନ୍ତ୍ରଣ କରାଯାଇଛି । 

ଅନ୍ୟପଟେ, ସମ୍ବଲପୁର ଜିଲ୍ଲାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ୨୦ ତାରିଖରେ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହି ପବିତ୍ର ଗଣପର୍ବ ଅବସରରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ୨୧ ତାରିଖ ରବିବାର ପଡ଼ୁଥିବାରୁ ସୋମବାର (ଜୁନ୍ ୨୨) ଠାରୁ ଏହି ଦୁଇ ଜିଲ୍ଲାରେ ସ୍ୱାଭାବିକ ଭାବେ ସ୍କୁଲ ପାଠପଢ଼ା ଆରମ୍ଭ ହେବ।

Tags: