ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା

ଚକ-ଅଖ ଡେରା ବିଧି ସମ୍ପନ୍ନ ହେବ

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା
Samaya Live News Picture
Published On

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଭଉଁରୀ ଯାତ୍ରା । ଭଉଁରୀ ଉତ୍ସବରେ ୩ରଥର ଚକ-ଅଖ ଡେରା ବିଧି ସମ୍ପନ୍ନ ହେବ । ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେବ ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ । ଏଣୁ ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତ ରହିଛି ୩ ନାହାକା ଅଖ ଓ ୬ ନାହାକା ଚକ । ରଥ ଆଜ୍ଞାମାଳ ବିଜେ ପାଇଁ ପ୍ରାଶାସନିକ ଧାର୍ଯ୍ୟ ସମୟ ରହିଛି ସକାଳ ୯ଟା ୩୦ । ତିନିବାଡର ପୂଜାପଣ୍ଡା ସକାଳଧୂପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବେ । ଭୋଇ ସେବକ ମାନଙ୍କ ଦ୍ବାରା ପ୍ରଥମ ହରିବୋଲ ପଡିବ ।

ତେବେ ଆଜି ଭଉଁରୀ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଛି । ଭୋରୁ ସିଂହଦ୍ଵାର ଫିଟାଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଇତ୍ୟାଦି ନୀତି ବଢି ସକାଳଧୂପ ଶେଷ ପରେ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହେବ । ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ମାତ୍ରାରେ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

Tags: