ଆଜି ପବିତ୍ର ରାମନବମୀ, ଶ୍ରୀ ମନ୍ଦିରରେ ପାଳିତ ହେଉଛି ରାମ ଜନ୍ମ ନୀତି
ଭୁବନେଶ୍ବର : ଆଜି ପବିତ୍ର ରାମନବମୀ । ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ । ତ୍ରେତୟା ଯୁଗରେ ଆଜି ଦିନରେ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରଘୁକୂଳରେ ଜନ୍ମ ହୋଇଥିଲେ । ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ।
ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ପୁରୁଷୋତ୍ତମ ଶ୍ରୀରାମ। ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା। ସେଥିପାଇଁ ରାମନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ରାମନବମୀ ଉପଲକ୍ଷେ ନବଦିନବ୍ୟାପୀ ଭଜନକୀର୍ତ୍ତନ, ଅଖଣ୍ଡପାଠ ଆଦି କରି ରାମଚରିତ ମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍ଧାମ୍ ଜାକଜମକରେ ପାଳିତ ହେଉଛି ରାମନବମୀ ।
ସେହିପରି ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମ ଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ତପ ପରେ ଏହି ଜନ୍ମନୀତି ପାଳନ ହେବ। ଏଥିପାଇଁ ସନ୍ଧ୍ୟା ୫ ଟା ରୁ ରାତ୍ର ୧୦ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତା ବିବାହ ଏବଂ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ପାଳନ ହେବ। ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି।




