ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି
ପଣାସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି । ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି । ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରୁ ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଏହା ପରେ ବିମାନରେ ଶ୍ରୀ ହନୁମାନଙ୍କୁ ଜଗନ୍ନାଥ ବଲ୍ଲଭ ନିଆଯାଇ ଆଳତୀ ବନ୍ଦାପନା କରାଯିବ ।
ଓଡିଆ ପରମ୍ପରା ଅନୁଯାୟୀ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି । ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ ।
ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଦିନ ଓ ରାତିର ଅବଧି ପ୍ରାୟ ସମାନ ରହେ । ଏହି ସମୟରୁ ହିଁ ଗ୍ରୀଷ୍ମ ଋତୁର ପ୍ରକୋପ ବଢ଼ିଥାଏ।
ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ୱ ରହିଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ପରେ ଅନେକ ବ୍ୟକ୍ତି ବିଶେଷ ।
ଆଜିର ଦିନରେ ‘ପଣା’ ସେବନର ପରମ୍ପାର ରହିଛି । ତେଣୁ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତିର ନାଁ ଦିଆଯାଇଛି । ପଣା ମୁଖ୍ୟତଃ ପଇଡ଼ ପାଣି, ଛେନା, କଦଳୀ, ଗୁଡ଼, ଗୋଲମରିଚ, କର୍ପୂର ଏବଂ ଉତ୍ତମ ଫଳମୂଳର ମିଶ୍ରଣରେ ପ୍ରସ୍ତୁତ ହୁଏ । ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଗାଁ ଗାଁର ମନ୍ଦିର ପର୍ଯ୍ୟନ୍ତ ସବୁଠି ପ୍ରଭୁଙ୍କ ପାଖରେ ପଣା ଭୋଗ ଲଗାଯାଏ । ଏହା ଗ୍ରୀଷ୍ମ ପ୍ରବାହରୁ ଶରୀରକୁ ଶୀତଳ ରଖିବାରେ ସାହାଯ୍ୟ କରେ ।
ଆଜିର ପର୍ବର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ‘ବସୁନ୍ଧରା ଠେକି’। ତୁଳସୀ ଚଉରା ଉପରେ ଏକ ଛୋଟ କଣା ଥିବା ମାଟି ପାତ୍ର ବନ୍ଧାଯାଏ । ଏହି ପାତ୍ରରୁ ଟୋପା ଟୋପା ହୋଇ ପାଣି ତୁଳସୀ ମୂଳରେ ପଡ଼ିଥାଏ। ଏହା ସୂଚାଇ ଦିଏ ଯେ, ଯେତେବେଳେ ଧରିତ୍ରୀ ମାତା ଯେତେବେଳେ ଖରାରେ ଶୁଖିଯାଏ, ସେତେବେଳେ ଜଳଦାନ କରି ତାକୁ ଶୀତଳ ରଖିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ । ଏହା ପରୋକ୍ଷରେ ଜଳ ସଂରକ୍ଷଣ ଓ ବୃକ୍ଷରୋପଣର ବାର୍ତ୍ତା ଦିଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଏହି ଦିନ ନୂଆ ପଞ୍ଜିକା କିଣାଯାଏ । ଠାକୁରଙ୍କ ପାଖରେ ପଞ୍ଜିକା ପୂଜା ହେବା ପରେ ପରିବାରର ସଦସ୍ୟମାନେ ପଣ୍ଡିତଙ୍କଠାରୁ ବର୍ଷକର ରାଶିଫଳ ଶୁଣନ୍ତି । ଏହା ସହିତ ନୂତନ ବ୍ୟବସାୟିକ ହିସାବ କିତାବ ମଧ୍ୟ ଅନେକ ସ୍ଥାନରେ ଆରମ୍ଭ ହୋଇଥା
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ପୋଷ୍ଟ କରି ନବବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ।
ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ । ଆମ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ବିଶ୍ୱ ଦରବାରରେ ଆହୁରି ଗୌରବାନ୍ୱିତ ହେଉ ।




