ଆଜି ପବିତ୍ର ଶ୍ରୀପଞ୍ଚମୀ,ରଥକାଠ ଅନୁକୂଳ ହେବ
ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ । ମାଘମାସ ପଞ୍ଚମୀ ତିଥିରେ ବାଗଦେବୀ ମା' ସରସ୍ୱତୀଙ୍କୁ ଆବାହନ କରାଯାଇଥାଏ I ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ଶ୍ୱେତ ବସ୍ତ୍ର,ଶ୍ୱେତ ପଦ୍ମ ,ଶ୍ଵେତାଳଙ୍କରରେ ବିଭୂଷିତ ହୋଇ ପୂଜା ପାଇଥାନ୍ତି ମା' । ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ବିଦ୍ୟାଦାତ୍ରୀ ମା' ସରସ୍ୱତୀଙ୍କୁ ଆରାଧନା କରିଥାନ୍ତି ।
ସେହିପରି ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କର ରଥକାଠ ଅନୁକୂଳ ହୋଇଥାଏ । ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ । ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ନିର୍ବିଘ୍ନ ସମାପନ ପାଇଁ ପ୍ରାର୍ଥନା କରାଯିବ । ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଘଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏହିପରି ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ପଡ଼େ ।
ଗତବର୍ଷ ରଥଯାତ୍ରାରେ ୪୭ ଖଣ୍ଡ କାଠ ବଳକା ରହିଥିବା ବେଳେ ଆଉ ମୋଟ ୮୧୮ ଖଣ୍ଡ କାଠ ଆବଶ୍ୟକ ରହିଛି । ରଥ ନିର୍ମାଣ ନିମନ୍ତେ ପ୍ରଥମ ପର୍ୟ୍ୟାୟ କାଠ ବି ଆସି ପୁରୀରେ ପହଞ୍ଚସାରିଛି । ଆଜି ରଥକାଠ ଅନୁକୂଳ ପରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ ।



