ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ
କଟକ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ । ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସବୁ ସୁଯୋଗକୁ ଏଡାଇ ଯାଇ ନିଜ ଜନ୍ମଭୂମିକୁ କର୍ମକ୍ଷେତ୍ର କରିବାର ସଂକଳ୍ପ ନେଇ ଓଡ଼ିଶା ଫେରି ଆସିଥିଲେ। ଜନ୍ମମାଟି ସତ୍ୟଭାମାପୁର ଓ କଟକ ସହର ପାଲଟିଥିଲା ତାଙ୍କ କର୍ମକ୍ଷେତ୍ର।
ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେଉ କିମ୍ବା ଓଡ଼ିଶାର ଅସ୍ମିତା ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା, ଓଡ଼ିଆ ଜାତିର ଅସ୍ତିତ୍ବ ପ୍ରତି ସୃଷ୍ଟି ହୋଇଥିବା ଅନେକ ବିପଦ ସମୟରେ ମଧୁବାବୁ ଚଟାଣ ଭଳି ସାମ୍ନାରେ ରହି ସୁରକ୍ଷା କବଚ ପାଲଟିଥିଲେ। ଉତ୍କଳ ଗୌରବଙ୍କ ୧୫୦ତମ ଜୟନ୍ତୀ ପରେ ଯାଇ ଏ ଦିଗରେ ବିଧିବଦ୍ଧ ପ୍ରୟାସ ଆରମ୍ଭ ହୋଇଥିଲା।
ଚଳିତ ବର୍ଷ ମଧୁବାବୁଙ୍କ ବଳିଦାନକୁ ପ୍ରତିଟି ଓଡ଼ିଆଙ୍କ ପାଖରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହିଅବସରରେ ଆଜି କେନ୍ଦୁଝରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଉତ୍କଳ ଗୌରବ' ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଅନନ୍ତ ନାଏକ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ସୂତ୍ରଧାର ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି।



