ଆଜି ରାଧାଷ୍ଟମୀ,ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ
ଭୁବନେଶ୍ୱର : ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀତିଥି ରେ ଶ୍ରୀରାଧାଙ୍କ ଜନ୍ମ ।ଏହାକୁ ରାଧାଷ୍ଟମୀ ରୂପେ ପାଳନ କରାଯାଇଥାଏ । ଜନ୍ମାଷ୍ଟମୀର ୧୫ଦିନ ପରେ ରାଧାଷ୍ଟମୀ ପଡିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ, ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି ରାଧାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ ’ ଇତ୍ୟାଦି ନାମରେ ଆମେ ପାଳନ କରି ଥାଉ । ବିଶେଷକରି ବୈଷ୍ଣବ ଧର୍ମାଲମ୍ବି ମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ‘ ରାଧାଷ୍ଟମୀ ’ ଭାବେ ପାଳନ କରନ୍ତି । ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ।
ଶ୍ରୀକୃଷ୍ଣଙ୍କ ଭକ୍ତି ପରମ୍ପରାରେ ରାଧାରାଣୀଙ୍କ ସ୍ଥାନ ଅତ୍ୟନ୍ତ ବିଶେଷ । ଭକ୍ତମାନଙ୍କ ମଧ୍ୟରେ ଏପରି ମାନ୍ୟତା ରହିଛି ଯେ, ରାଧାରାଣୀଙ୍କ ସ୍ମରଣ ଓ ପୂଜା ବିନା ଶ୍ରୀକୃଷ୍ଣଙ୍କ ଆରାଧନା ଅଧୂରା । ତେଣୁ ଏହି ଦିନ ଭକ୍ତମାନେ ରାଧା-କୃଷ୍ଣଙ୍କୁ ଏକାଠି ପୂଜା କରିଥାନ୍ତି । ରାଧା ଅଷ୍ଟମୀ କେବଳ ଏକ ବ୍ରତ କିମ୍ବା ପର୍ବ ନୁହେଁ; ଏହା ପ୍ରେମ, ଭକ୍ତି ଓ ସମର୍ପଣର ପ୍ରତୀକ ଭାବେ ଭକ୍ତମାନଙ୍କ ମନରେ ବିଶେଷ ସ୍ଥାନ ରଖେ । ଏହି ଦିନ ରାଧାରାଣୀଙ୍କୁ ସ୍ମରଣ କରି ଭକ୍ତମାନେ ନିଜ ଜୀବନରେ ପ୍ରେମ, ଶାନ୍ତି ଓ ଭକ୍ତିଭାବ ବୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି । “ରାଧେ ରାଧେ ନାମ ସ୍ମରଣରେ ରାଧାରାଣୀଙ୍କ ପ୍ରତି ଭକ୍ତି ଅର୍ପଣ କରିବା ସହ ରାଧା-କୃଷ୍ଣଙ୍କ ଯୁଗଳ ଚରଣରେ ମନକୁ ସମର୍ପିତ କରିବା ହିଁ ଏହି ପବିତ୍ର ଦିନର ମୁଖ୍ୟ ଭାବନା ।
ଆମର ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରି ପନ୍ତି ଭୋଗ ଖାଇଥାନ୍ତି । ଏହାପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନୀତି ସମ୍ପର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।




