ଆଜି ପବିତ୍ର ଗୁଡ୍ ଫ୍ରାଇଡେ ଯୀଶୁଙ୍କ ବଳିଦାନ ଦିବସ
ଭୁବନେଶ୍ୱର : ଆଜି ପବିତ୍ର ଗୁଡ୍ ଫ୍ରାଇଡେ । ଆଜିର ଦିନରେ ପ୍ରଭୁ ଯୀଶୁଙ୍କୁ କୃଶ ବିଦ୍ଧ କରାଯାଇଥିଲା । ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇ ଭଉଣୀ ମାନଙ୍କ ପାଇଁ ଆଜି ଦିନଟି ଅତି ପବିତ୍ର ଏବଂ ଶୋକ ର ଦିନ । ଏହାକୁ ଯୀଶୁଙ୍କ ବଳିଦାନ ଦିବସ ରୂପେ ମଧ୍ୟ ପାଳନ କରିଥାନ୍ତି । ଇଷ୍ଟର ସଣ୍ଡେ ପୂର୍ବରୁ ଆସୁଥିବା ଶୁକ୍ରବାରକୁ ଗୁଡ୍ ଫ୍ରାଇଡେ କୁହାଯାଏ।
ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ, ଯୀଶୁ ଖ୍ରୀଷ୍ଟ ମାନବଜାତିର ପାପ ପାଇଁ ନିଜକୁ ବଳିଦାନ ଦେଇଥିଲେ । ସେ ସମସ୍ତଙ୍କ ପାଇଁ କଷ୍ଟ ସହିଲେ ଯେପରି ମଣିଷ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ନିକଟତର ହୋଇପାରିବ। ଏହି ଦିନଟିକୁ ‘ଗୁଡ୍’ ବା ‘ଶୁଭ’ କୁହାଯାଏ । କାରଣ ଯୀଶୁଙ୍କ ମୃତ୍ୟୁ ପରେ ହିଁ ମାନବ ଜାତି ପାଇଁ ଉଦ୍ଧାରର ବାଟ ଫିଟିଥିଲା । ତେଣୁ ଆଜିର ଦିନଟିକୁ ସେମାନେ ଉତ୍ସବ ପରିବର୍ତ୍ତେ ପ୍ରାର୍ଥନା, ଉପବାସ ଏବଂ ପ୍ରଭୁ ଯୀଶୁଙ୍କୁ ଚିନ୍ତନ କରି ବିତାଇଥାନ୍ତି ।
ଅନେକ ଭାବନ୍ତି ଦୁଃଖର ଦିନଟି କିପରି “ଭଲ” ବା “ଗୁଡ୍” ହେବ? ପୁରୁଣା ଇଂରାଜୀରେ “ଗୁଡ୍” ଶବ୍ଦର ଅର୍ଥ “ପବିତ୍ର” ଥିଲା । ଏହା ଯୀଶୁଙ୍କ ସେହି ପ୍ରେମ ଓ ବଳିଦାନକୁ ବୁଝାଏ ଯାହା ଜଗତ ପାଇଁ କଲ୍ୟାଣକାରୀ ଥିଲା । ବାଇବଲ ଅନୁଯାୟୀ, ପ୍ରଭୁ ଯୀଶୁଙ୍କୁ ଅନ୍ୟାୟ ଭାବେ ବିଚାର କରାଗଲା, ତାଙ୍କୁ ଚାବୁକରେ ମରାଗଲା ଏବଂ କ୍ରୁଶ ଉପରେ କଣ୍ଟା ବିଦ୍ଧ କରି ହତ୍ୟା କରାଗଲା । ସେହି ଦିନ ସାରା ପୃଥିବୀରେ ଅନ୍ଧାର ଘୋଟି ଯାଇଥିଲା । କେହି କେହି ଗୁଡ୍ ଫ୍ରାଇଡେ ଠାରୁ ଇଷ୍ଟର ଅର୍ଥାତ ରବିବାର ପର୍ଯ୍ୟନ୍ତ ଉପବାସ ରଖି ଉପବାସ ରଖି ଆମିଷ ଖାଆନ୍ତି ନାହିଁ । ଆଜି ଦିନରୁ ରବିବାର ପର୍ଯ୍ୟନ୍ତ ୩ ଦିନ ଧରି ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଅନୁଷ୍ଠିତ ହୁଏ । ଯୀଶୁଙ୍କ ଯନ୍ତ୍ରଣାକୁ ସ୍ମରଣ କରାଯାଏ । ଅନେକ ସ୍ଥାନରେ ଯୀଶୁଙ୍କ କ୍ରୁଶ ଯାତ୍ରାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଯାଏ । ଏହା ଏକ ନିରବତା ଓ ଆତ୍ମ-ସମୀକ୍ଷାର ଦିନ।




