ପାଗରେ ପରିବର୍ତ୍ତନ ସପ୍ତାହେ ଯାଏଁ ବର୍ଷା ସମ୍ଭାବନା

ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଏବଂ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପାଗରେ ପରିବର୍ତ୍ତନ ସପ୍ତାହେ ଯାଏଁ ବର୍ଷା ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର :  ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା । ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାଳବୈଶାଖୀ ଯୋଗୁଁ ଆଜି ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୫ଜିଲ୍ଲାକୁ ୟେଲୋ ଵର୍ଣ୍ଣିଂ ଜାରି ରହିଛି । ଏହି ସବୁ ଜିଲ୍ଲାରେ କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ତେଣୁ ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଏବଂ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସପ୍ତାହେ ରାଜ୍ୟରେ ଏମିତି ପାଗ ଲାଗି ରହିବ । 

ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ୩ ଦିନ ପରେ (ପରବର୍ତ୍ତୀ ୪ଦିନରେ) ପାରଦ ବଢ଼ିବା ସମ୍ଭାବନା ଅଛି । ସେତେବେଳକୁ ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଖାଇଛି । ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ତୁଳନାରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨ ପର୍ଯ୍ୟନ୍ତ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଧିକ ରହିଛି । ଯଦି ଏଭଳି ହୁଏ, ତେବେ ମାର୍ଚ୍ଚ ଶେଷ ସପ୍ତାହ ଏବଂ ଏପ୍ରିଲ ଆଗମନ ସମୟରେ ମଧ୍ୟ ଗ୍ରୀଷ୍ମ ପ୍ରକୋପ କମ୍ ରହିପାରେ ।

ଅନ୍ୟପଟେ ସାରା ଦେଶରେ ୧୯ଟି ରାଜ୍ୟକୁ ବର୍ଷା, ଝଡ଼ବର୍ଷା, ବିଜୁଳି ଏବଂ କୁଆପଥର ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ପାଗ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆଜି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟ ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ମଧ୍ୟ କୁଆପଥର ବର୍ଷାର ପୂର୍ବାନୁମାନ କରାଯାଇଛି ।

 

Tags: