ଆଜି ଇଦ୍ ଅଲ୍-ଫିତର, ସାରା ଦେଶ ଉତ୍ସବ ମୁଖର

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜଣାଇଲେ ଇଦ୍ ଶୁଭେଚ୍ଛା 

ଆଜି ଇଦ୍ ଅଲ୍-ଫିତର, ସାରା ଦେଶ ଉତ୍ସବ ମୁଖର
Samaya Live News Picture
Published On

ଭୁବନେଶ୍ବର: ସରିଲା ରମଜାନ ମାସ । ନମାଜ ପାଠ ପରେ ଗତକାଲି ଚାନ୍ଦ ଦେଖାଯାଇଥିଲା। ଆଜି ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ଏଥିପାଇଁ ଚଳଚଞ୍ଚଳ ମସଜିଦ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ମସଜିଦ । ଜମିଛି ଭିଡ଼ । ସମୂହ ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଈଦର ଶୁଭେଚ୍ଛା ଜଣାଇଥିଲେ ମୁସଲିମ ଭାଇ ଭଉଣୀ। । ୩୦ଦିନର ରୋଜା ପୂରଣ ପରେ ମୁସଲମାନ ମାନେ ଆଜି ଇଦ ମନାଉଛନ୍ତି ।

ଘରେ ଘରେ ଏବଂ ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ ।

ସମୁହ ନମାଜ ପାଠ ପାଇଁ ସମସ୍ତ ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି । ଇଦ ପାଳନ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ । ଶେଖ୍ ବଜାର, ଅଲିଶା ବଜାର, ଦେୱାନ୍ ବଜାର, ଓଡ଼ିଆ ବଜାର, ସୂତା ହାଟ, କାଫଲା ବଜାର, ଆଦି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି । ପ୍ରମୁଖ ଉପାସନା ପୀଠ କଦମ-ଏ-ରସୁଲ ଓ ଇଦଗା ପଡ଼ିଆରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଆଜି ଜାମା ମସଜିଦ ଏବଂ ଫତେପୁରୀ ମସଜିଦ ସମେତ ସମସ୍ତ ଛୋଟ ଏବଂ ବଡ଼ ମସଜିଦ ସାରା ଦେଶରେ ଈଦ-ଉଲ-ଫିତର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି।  ଆଜି ସକାଳେ ଲୋକମାନେ ଦିଲ୍ଲୀର ଜାମା ମସଜିଦରେ ନମାଜ ପାଠ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଦ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସମସ୍ତ ମୁସଲିମ୍ ସମ୍ପ୍ରଦାୟ ଭାଇ ଭଉଣୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଇଦ୍ ପର୍ବ ଆମକୁ ଆତ୍ମ-ସଂଯମ, ସେବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଶିଖାଏ ।

ସେହିପରି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପ୍ରଧାନମନ୍ତ୍ରୀ  କହିଛନ୍ତି, “ଇଦ୍ ଅଲ୍-ଫିତରର ଅନେକ ଅନେକ ଅଭିନନ୍ଦନ।”  “ଏହି ଦିନଟି ଭାଇଚାରା ଏବଂ କରୁଣାର ଭାବନାକୁ ଆହୁରି ମଜବୁତ କରୁ। ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ।”
 

 

 

Tags: