ଆଜି ଧନୁ ସଂକ୍ରାନ୍ତି,ଏକ ମସ ଧରି ଶ୍ରୀମନ୍ଦିରରେ ଲାଗି ହେବ ପହିଲି ଭୋଗ
ଭୁବନେଶ୍ୱର : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି । ପହିଲିଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତି ୨ଟାରେ ଦ୍ଵାରଫିଟା ନୀତି ପରେ ହୋଇଛି ପହିଲି ଭୋଗ ନୀତି। ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମାନଙ୍କରେ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି।
ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୩୦ ରୁ ୬ ଟା ମଧ୍ୟରେ ପହିଲି ଭୋଗ ପରେ କୋଠ ଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ। ପହିଲି ଭୋଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଖରେ ୩୨ ପ୍ରକାରର ପିଠା ଓ ଧନୁ ମୁଆଁ ଲାଗି ହୋଇଥାଏ ।ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ପରମ୍ପରା ଅନୁଯାୟୀ ଏହି ୧ ମାସ ଧରି ଲକ୍ଷ୍ମୀ ଠାକୁରାଣୀ ବାପ ଘର କୁ ଯାଇଥିବାରୁ ମାଆ ଯଶୋଦାଙ୍କ ଦ୍ଵାରା ମହାପ୍ରଭୁଙ୍କୁ ବିରି, ଗହମଚୁନା, ଘିଅ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗି କରାଯାଇଥାଏ। ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ। ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯିବ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି।




