ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ,୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆଜି ପବିତ୍ର ଚିତାଲାଗି ଅମାବାସ୍ୟା । ଶ୍ରାବଣ କୃଷ୍ଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି ରୀତିନିତି ଅନୁସାରେ ପାଳନ କରାଯାଇଥାଏ । ଏହି ସ୍ୱତନ୍ତ୍ର ନିତିକନ୍ତି ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାଞ୍ଚ ଘଣ୍ଟା ଲାଗି ବନ୍ଦ ରହିବ ସାର୍ବଜନୀନ ଦର୍ଶନ । ପ୍ରଥମ ଭୋଗମଣ୍ଡପ ଭୋଗ ସମାପ୍ତ ହେବା ପରେ ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାର୍ବଜନୀନ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି ।
ଆଜି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଲାଗି ହେବ ଦୁର୍ମୁଲ୍ୟ ରତ୍ନଚିତା । ଏହି ନୀତିକୁ ଦେଖିବା ପାଇଁ ଭକ୍ତଙ୍କ ମନରେ ରହିଥାଏ ବିଶେଷ ଉତ୍ସାହ, ହେଲେ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ଉପରେ ରହିବ କଟକଣା । ସାରାବର୍ଷ ମହାପ୍ରଭୁ ଏହି ଚିତା ପିନ୍ଧନ୍ତି, କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଦିନ ଏହି ଚିତାକୁ ଓହ୍ଲାଇ ଦିଅନ୍ତି । କିନ୍ତୁ ରତ୍ନବେଦୀକୁ ଯିବା ପରେ ଆଜି ହିଁ ସେବାୟତମାନେ ଠାକୁରଙ୍କୁ ଏହି ରାହୁରେଖା ଓ ରତ୍ନଚିତା ପିନ୍ଧାଇଥାଆନ୍ତି । ଚିତାଲାଗି ପାଇଁ ପାଟରା ସେବାୟତମାନେ ବାସୁଙ୍ଗା ପାଟରେ ତିନିଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଶ୍ରୀପଟ ପ୍ରସ୍ତୁତ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ, ପ୍ରଭୁ ବଳଭଦ୍ରଙ୍କ ପାଇଁ ନୀଳ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ନାଲି ରଙ୍ଗର ଶ୍ରୀପଟ ତିଆରି କରାଯାଇଥାଏ । ଏହି ସମୟରେ ଶ୍ରୀଜୀଉମାନଙ୍କୁ ଚିତଉ ପିଠା ଭୋଗ ଆକାରରେ ଅର୍ପଣ କରାଯାଇଥାଏ ।




