ଆଜି ଅଁଳା ନବମୀ, ଓଡ଼ିଆଣୀ ବେଶରେ ପାଦ ଦର୍ଶନ ଦେଉଛନ୍ତି ରାଧାରାଣୀ
ଭୁବନେଶ୍ୱର : ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଅଁଳା ଗଛକୁ ପୂଜା କରିବା ସହ ଭଗବାନ ବିଷ୍ଣୁଙ୍କ ଆରାଧନା କରିଥାନ୍ତି ଶ୍ରଦ୍ଧାଳୁ। ଓଡ଼ିଶାରେ ଏହି ଦିନର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ବିଶେଷକରି ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଥାଏ ବେଶ୍ ଉତ୍ସାହ । ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ନଟବର ବେଶରେ ଦର୍ଶନ ଦେଇଥାନ୍ତି ଶ୍ରୀକୃଷ୍ଣ । ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତମୟ ହୋଇଉଠିଛି ସାକ୍ଷୀଗୋପାଳ ପୀଠ । ହେଲେ କ'ଣ ରହିଛି ରାଧାପାଦ ଦର୍ଶନର ମହତ୍ତ୍ୱ ?
ଆଜି କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା' ରାଧାରାଣୀ । ସେପଟେ ନଟବର ବେଶରେ ସଜେଇ ହୋଇଛନ୍ତି ଶ୍ରୀକୃଷ୍ଣ । ଧାର୍ମିକ ବିଶ୍ୱାସ ଅନୁସାରେ, ଅଁଳା ନବମୀ ତିଥିରେ ମା' ରାଧାରାଣୀଙ୍କ ପାଦପଦ୍ମ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଏହି ଦୁର୍ଲଭ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ ।
ପୌରାଣିକ କଥା ଅନୁସାରେ, ଥରେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିଥିଲେ । ରାଜବୈଦ୍ୟ କହିଥିଲେ ଯେ ତାଙ୍କୁ ସଚ୍ଚା ପ୍ରେମ କରୁଥିବା କୌଣସି ବ୍ୟକ୍ତିଙ୍କ ପାଦର ଧୂଳି ତାଙ୍କ ମସ୍ତକରେ ଲଗାଇଲେ ହିଁ ସେ ସୁସ୍ଥ ହେବେ । ଶ୍ରୀକୃଷ୍ଣଙ୍କର ଅଷ୍ଟସଖୀ ନିଜ ପାଦର ଧୂଳି ଦେବାକୁ ସଂକୋଚ କରିଥିଲେ । ସ୍ୱୟଂ ଭଗବାନଙ୍କ ମସ୍ତକରେ ନିଜ ପାଦର ଧୂଳି ଦେଲେ ମହାପାପ ଲାଗିବ ବୋଲି ସେମାନେ ଭୟ କରୁଥିଲେ ।
କିନ୍ତୁ ମା’ ରାଧା ନିଜର ପାପ ବା ପୁଣ୍ୟର କୌଣସି ଚିନ୍ତା ନକରି ଶ୍ରୀକୃଷ୍ଣଙ୍କ ଆରୋଗ୍ୟ କାମନାରେ ତୁରନ୍ତ ନିଜ ପାଦର ଧୂଳି ପ୍ରଦାନ କରିଥିଲେ । ତାଙ୍କର ଏହି ନିଃସ୍ୱାର୍ଥପର ପ୍ରେମ ଓ ତ୍ୟାଗକୁ ସ୍ମରଣ କରି ଏହି ଦିନ ରାଧା ପାଦ ଦର୍ଶନ କରାଯାଏ । ବର୍ଷର ଅନ୍ୟ ସମସ୍ତ ଦିନରେ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧା ଘାଗରା-ଚୋଲି ପରିଧାନ କରିଥାନ୍ତି, ଯାହାଦ୍ୱାରା ତାଙ୍କର ପାଦ ଘୋଡ଼ାଇ ହୋଇ ରହିଥାଏ । କେବଳ ଅଁଳା ନବମୀ ଦିନ ମା’ଙ୍କୁ ପାରମ୍ପରିକ ଓଡ଼ିଆ ଶାଢ଼ୀ ବା ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଏ, ଫଳରେ ଭକ୍ତମାନେ ତାଙ୍କର ପାଦ ଦର୍ଶନ କରିପାରନ୍ତି ।
ଅଁଳା ନବମୀ ପାଇଁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ରାତି ୧ଟାରେ ଦ୍ବାର ଫିଟା ନୀତି ପରେ ମଙ୍ଗଳ ଆଳତି ପରେ ପରେ ବେଶ,ମୈଲମ, ସୂର୍ଯ୍ୟପୂଜା,ଦ୍ବାରପାଳ ପୂଜା,ବଲଭ,ସକାଳ ଧୂପ,ବାଳଭୋଗ ନିତି ଶେଷ ହୋଇ ରାତି ୨ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଚତୁର୍ପାର୍ଶ୍ୱରେ ୧୧ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଭାବେ ମା’ଙ୍କ ପାଦ ପଦ୍ମ ଜୁଗଳକୁ ଦର୍ଶନ କରି କୋଟି ଜନ୍ମର ପୂଣ୍ଣ୍ୟ ଅର୍ଜନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ସେପଟେ ମନ୍ଦିର ଭିତରେ ମୋବାଇଲ ପ୍ରବେଶ କଟକଣାକୁ କଡାକଡି କରାଯାଇଛି । ନିୟମ ଉଲଗ୍ନ କଲେ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।




