ଆଜି ନୀଳାଦ୍ରିବିଜେ, ମହାଲକ୍ଷ୍ମୀଙ୍କୁ ରସଗୋଲ ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
ଭୁବନେଶ୍ୱର : ଆଜି ହେଉଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ମାନବୀୟ ଲୀଳା ସାରି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ତେବେ ନୀଳାଦ୍ରିବିଜେ ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମା' ମହାଲକ୍ଷ୍ମୀଙ୍କୁ ରସଗୋଲ ଖୁଆଇ ମାନଭଞ୍ଜନ କରିବେ । ଗଇଁଠାଳ ଫିଟିବା ଆଗରୁ ଭାଇ ଭଉଣୀଙ୍କୁ ନେଇ ଗୁଣ୍ଡିଚା ଯାତ୍ରାରେ ଯାଇଥିବାରୁ ଅଭିମାନ କରିଥାନ୍ତି ମା' ସାଆନ୍ତାଣୀ । ଏପରିକି ପ୍ରଭୁଙ୍କ ଠାରୁ କୌଣସି ଖବର ନ'ଆସିବାରୁ ରାଗ ଜର୍ଜ୍ଜରୀତ ହୋଇ ପଞ୍ଚମୀ ତିଥିରେ ଯାଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇ ଆସିଥାନ୍ତି । ଏହି ନୀତିକୁ 'ହେରା ପଞ୍ଚମୀ' ବୋଲି କୁହାଯାଇଥାଏ । ତେଣୁ ଆଜି ଅଭିମାନିନୀ ମା'ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ପୁଣି ଥରେ ମା'ଲକ୍ଷ୍ମୀଙ୍କ ସହ ଗୁପ୍ତ ଗୁଣ୍ଡିଚାରେ ଯିବେ ବୋଲି ପ୍ରତିଶୃତି ଦେଇ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି ମହାପ୍ରଭୁ । ଏହି ପରମ୍ପରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ମିଠାର ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇଛି । ଏହି ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବରେ ପାଳନ କରାଯାଇଥାଏ । ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ ।
ମହାପ୍ରଭୁଙ୍କ ପ୍ରସାଦ ପାଇଁ ଆଜି ସାଲେପୁରରୁ ୨୦ କେଜିଆ ରସଗୋଲା ପୁରୀକୁ ପାଠ ଯାଇଛି । ଏହି ଦିନକୁ ପାଳନ ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନିଳାଦ୍ରୀ ବିଜେ ଦିନ ସୋଶିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା। ଏହାପରେ ୨୦୧୬ ମସିହାରୁ ପାଳିତ ହୋଇ ଆସୁଛି ରସଗୋଲା ଦିବସ । ରସଗୋଲା କାହାର ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଥିଲା ମିଠା ଯୁଦ୍ଧ। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା । ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା ।




