ରାଜ୍ୟରେ ବନ୍ଦ ହେଲା ତମ୍ବାଖୁ

ରାଜ୍ୟରେ ବନ୍ଦ ହେଲା ତମ୍ବାଖୁ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ ଲାଗିଲା କଟକଣା । ରାଜ୍ୟରେ ବନ୍ଦ ହେଲା ପାନ ମସଲା, ଗୁଟଖା, ଖଇନି ଆଦି ମାଦକ ପଦାର୍ଥ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ବିଜ୍ଞପ୍ତି ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ହେବ ଏବଂ ଏଭଳି ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗାଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ପ୍ରତିବନ୍ଧକ ଲଗାଯିବ। FSSAI ଗାଇଡଲାଇନ ଅନୁସରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି।

ତମ୍ବାକୁ ଓ ନିକୋଟିନ୍ ଯୁକ୍ତ ପଦାର୍ଥଗୁଡ଼ିକ ମୁଖ, ଗଳା , ଅନ୍ତର୍ନିହିତ ଅଙ୍ଗର କ୍ୟାନ୍ସର ସହିତ ଗୁରୁତର ରୋଗ ସୃଷ୍ଟି କରୁଥିବାରୁ ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ ଅଟେ । ତେଣୁ ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ ଏହି ନିଷେଧ ଲାଗୁ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ନୋଟିଫିକେସନ ନମ୍ବର ୨୦୬୫ , ତାରିଖ ୨୧/୦୧/୨୦୨୬ ଅନୁସାରେ ଏହି ନିଷେଧାଦେଶ ଲାଗୁ କରାଯାଇଛି । ୨୦୧୩ ମସିହାରେ ରାଜ୍ୟରେ ଗୁଟ୍‌ଖା ନିଷିଦ୍ଧ ଘୋଷଣା ପରେ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ନେଇଛନ୍ତି ।

Tags: