ସପ୍ତାହେ ଯାଏ କାଳବୈଶାଖୀ ସମ୍ଭାବନା

ସପ୍ତାହେ ଯାଏ କାଳବୈଶାଖୀ ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ବର୍ଷା ସମୟରେ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଦେଖାଦେବ । ଏହି ସମୟରେ ୩୦ରୁ ୫୦ କିମି ବେଗରେ ପବନ ବି ବହିପାରେ ବୋଲି ପୂର୍ବାନୁମାନ କରି ସତର୍କ କରାଇଛି ପାଣିପାଗ ବିଭାଗ।

ଚଳିତ ସପ୍ତାହରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିଭଳି ଏପ୍ରିଲ ପହିଲା ଯାଏ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ଅଛି । କିନ୍ତୁ ୨ରୁ ୮ ତାରିଖ ଭିତରେ ଦିନ ତାପମାତ୍ରା ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗୁରୁବାର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଭୀଷଣ ଝଡ଼ ବର୍ଷା ହୋଇଛି । ଶୁକ୍ରବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ଝଡ଼ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଅଛି । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ମୟୂରଭଞ୍ଜ ଓ ବାଲେଶ୍ୱରରେ ଘଡ଼ଘଡ଼ି ଓ ବର୍ଷା ହୋଇପାରେ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସବୁଠୁ ଅଧିକ ୩୮.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୮.୬, ଟିଟିଲାଗଡ଼ରେ ୩୮.୫, ସମ୍ବଲପୁରରେ ୩୮.୪ ଓ ଭବାନୀପାଟଣାରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଥିଲା ।  

 

Tags: