ବର୍ଷ ଶେଷ ବେଳକୁ ଆସିପାରେ ୩ ବାତ୍ୟା !
ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ - IMD
ଭୁବନେଶ୍ବର : ପୁଣି ଡ଼ରାଇଲାଣି ବାତ୍ୟା । ବର୍ଷ ଶେଷ ବେଳକୁ ଆସିପାରେ ୩ ବାତ୍ୟା । ସେପ୍ଟେମ୍ବର ଶେଷ ଏବଂ ଡିସେମ୍ବର ମଧ୍ୟରେ ୩ଟି ବାତ୍ୟା ସମ୍ଭାବନାନେଇ ବିଭିନ୍ନ ପାଣିପାଗ ମଡେଲ ପୂର୍ବାନୁମାନ କରିଛନ୍ତି । ୧୮/୧୯ ତାରିଖ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏହା ୨୫/୨୬ ବେଳକୁ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଇ ଏବଂ ପାଗ ଅନୁକୂଳ ହେଲେ ଏହା ବାତ୍ୟା ରୂପ ନେଇପାରେ । ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ (IMD) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି ) କିନ୍ତୁ ଏଭଳି କୌଣସି ରିପୋର୍ଟ କିମ୍ବା ପୂର୍ବାନୁମାନ ଜାରି କରିନାହିଁ । ବାତ୍ୟା ନେଇ ଏତେ ଆଗୁଆ ପୂର୍ବାନୁମାନ ମଧ୍ୟ ସହଜ ନୁହେଁ । ସମୁଦ୍ରରେ ଘୂର୍ଣ୍ଣିବଳୟ ହେବା ପରେ ହିଁ କିଛି ନିଦ୍ଦି ର୍ଷ୍ଟ ଆକଳନ କରାଯାଇଥାଏ । କେବଳ ଚଳିତବର୍ଷର ସୁପର ଏଲ୍-ନିନୋ ପ୍ରଭାବ ଓ ସାମୁଦ୍ରିକ ଜଳରାଶିର ତାପମାତ୍ରା ବୃଦ୍ଧି ଭିତରେ ଏଭଳି ସଙ୍କେତ ଚିନ୍ତା ବଢ଼ାଇଛି । ସବୁଠାରୁ ବଡ଼ କଥା, ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା ପାଇଁ କିଛି ପୂର୍ବାନୁମାନ ଜାରି କରାଯାଇନି ।
ସେପଟେ, ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟରର ଆକଳନ ଅନୁସାରେ, ଏହି ତିନି ମାସ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରକୁ ମିଶାଇ ଉତ୍ତର ଭାରତ ମହାସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇପାରେ । ତେବେ ୩ଟି ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ନୁହେଁ । ଚିନ୍ତାର କାରଣ ହେଉଛି ଏଥର ବାତ୍ୟାଗୁଡ଼ିକର ମୋଟ ଶକ୍ତି ସାଧାରଣଠାରୁ ବହୁତ ଅଧିକ ହୋଇପାରେ । ଏଥିରୁ ଅନ୍ୟୁନ ଗୋଟିଏ ବାତ୍ୟା ଅତି ଭୟଙ୍କର ଅର୍ଥାତ୍ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଯାହାର ସର୍ବାଧିକ ପବନ ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟର କିମ୍ବା ଅଧିକ ହେବା ଆଶଙ୍କା ରହିଛି । ତେବେ ଇସ୍ରୋ ୩ଟି ବାତ୍ୟା ଓଡ଼ିଶାକୁ ମାଡ଼ ହେବ ବୋଲି କହିନାହିଁ । କେଉଁ ବାତ୍ୟା କେଉଁଠି ଯିବ କିମ୍ବା କେଉଁଠି ସ୍ଥଳଭାଗ ଛୁଇଁବ, ତାହାର ମଧ୍ୟ କୌଣସି ପୂର୍ବାନୁମାନ ହୋଇନାହିଁ ।
ଏହା କେବଳ ଆଗାମୀ ବାତ୍ୟା ଋତୁରେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ପାଇଁ ପରିବେଶ ଅଧିକ ଅନୁକୂଳ ରହିପାରେ ବୋଲି ଏକ ଋତୁକାଳୀନ ଆକଳନ। କୌଣସି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେବା ପରେ ତାହା ବାତ୍ୟାର ରୂପ ନେବ କି ନାହିଁ, କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଯିବ ସେ ସମ୍ପର୍କରେ IMDର ପୂର୍ବାନୁମାନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।




