ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆଙ୍କ ମୃତ୍ୟୁ
ଢେଙ୍କାନାଳ : ଦଣ୍ଡଯାତ୍ରା ପାଇଁ ଟେଣ୍ଟ ପ୍ରସ୍ତୁତି କରୁଥିବା ବେଳେ ବିଦ୍ୟୁତ ଆଘାତରେ ୩ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ l ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪) । ଗୁରୁତର ଦୁଇ ଜଣ ହେଲେ ପାଟଲ୍ ଗ୍ରାମର ପ୍ରଫୁଲ୍ଲ ତରାଇ (୫୦) ଓ ନିର୍ମଳ ସାହୁ ।
ସୂଚନା ଅନୁଯାୟୀ ଦଣ୍ଡୁଆମାନେ ଗ୍ରାମରେ ମାଆ କାଳୀଙ୍କ ଦଣ୍ଡ ନାଚ ପାଇଁ ରବିବାର ସନ୍ଧ୍ୟା ସମୟରେ ଷ୍ଟେଜ ପାଇଁ ଟେଣ୍ଟ ବାନ୍ଧୁଥିଲେ । ଏହି ସମୟରେ ଟେଣ୍ଟର ଏକ ଷ୍ଟିଲ୍ ବାର୍ ଅସାବଧାନତା ବଶତଃ ଉପରେ ଯାଇଥିବା ୧୧ କେଭି ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ସେଠାରେ ଥିବା ୫ ଜଣ ଦଣ୍ଡୁଆ ଗୁରୁତର ଭାବେ ଝଟକା ଖାଇ ସଂଜ୍ଞାହୀନ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ହୋଇ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି । ଏଭଳି ଏକ ଅଘଟଣ ପାଇଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନ୍ୟପଟେ ବିଦ୍ୟୁତ ବିଭାଗକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ I ରାସ୍ତାରୋକ କରିବାରୁ ସାମୟିକ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଏଥିପାଇଁ ଦାୟୀ ବୋଲି ଲୋକେ କହିଛନ୍ତି । ବହୁ ଦିନରୁ ବିଦ୍ୟୁତ ତାର ଝୁଲି ରହିଥିଲେ ମଧ୍ୟ ଏହାକୁ ବିଦ୍ୟୁତ ବିଭାଗ ସଜାଡ଼ି ନଥିଲା ଅଭିଯୋଗ କରିଛନ୍ତି ଲୋକ ।



