ଖାଦ୍ୟ ବିଷକ୍ରିୟା ଯୋଗୁଁ ପରିବାରର ୩ ଜଣଙ୍କ ମୃତ୍ୟୁ
ଢେଙ୍କାନାଳ : ଭାତ ସହିତ ଚିକେନ ଓ ପାଳଙ୍ଗଶାଗ ଖାଇବା ହେଲା କାଳ । ଖାଦ୍ୟ ବିଷକ୍ରିୟା ଯୋଗୁଁ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ରାତିରେ ଭାତ ସହ ଚିକେନ ତରକାରୀ ଓ ପାଳଙ୍ଗ ଶାଗ ଖାଇ ଶୋଇଥିବାବେଳେ ସକାଳେ ମା' ଓ ୨ ପୁଅ ଘରର କବାଟ ଖୋଲି ନଥିଲେ । ଏହାଦେଖି ପଡୋଶୀ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ମେଡିକାଲ କୁ ନେଇଥିଲେ ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ମୃତକମାନେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ଉଭୟଙ୍କ ଦୁଇ ପୁଅ ପିଣ୍ଟୁ ସାହୁ ଓ ଲିଣ୍ଟୁ ସାହୁ । ବର୍ତ୍ତମାନ ମା’ ଓ ଦୁଇ ପୁଅଙ୍କ ମୃତଦେହ ଅନୁଗୁଳ ମେଡିକାଲ ଶବଦାହ ଗୃହରେ ରଖାଯାଇଛି । ତେବେ ସମସ୍ତଙ୍କ ମୃତ୍ୟୁ ଫୁଡ୍ ପଏଜନ୍ କିମ୍ୱା ଅନ୍ୟ କୌଣସି କେଉଁ କାରଣରୁ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଅନୁଗୁଳ ଏବଂ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଶ୍ବାସରୁଦ୍ଧ ଜନିତ ମୃତ୍ୟୁ ବୋଲି ସୂଚନା ମିଳିଛି । ଖାଇ ସାରି ଘରେ ନିଆଁ ଜାଳି ଶୋଇଥିବାରୁ ଘର ଭିତରେ ଅଙ୍ଗାରକାମ୍ଳ ଭର୍ତ୍ତି ହୋଇ ଶ୍ବାସରୁଦ୍ଧ ହେବାରୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି I




