୨ଟି ସ୍ଥାନରେ ଦୁର୍ଘଟଣା ଘଟି ୩ ମୃତ

୨ଟି ସ୍ଥାନରେ ଦୁର୍ଘଟଣା ଘଟି ୩ ମୃତ
Samaya Live News Picture
Published On

କଳାହାଣ୍ଡି/ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ଏବଂ କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଘଟିଛି ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୩ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଗଛରେ ଏକ ବାଇକ ପିଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି  । ଗୁରୁତର ମାନଙ୍କୁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ଜଣକ ହେଲେ ଲେଟକିଙ୍ଗିଆ ଗ୍ରାମର ବୋଲି ଜଣାପଡିଛି । କ୍ରିକେଟ୍ ଖେଳ ସାରି ତିନି ଜଣ ସାଙ୍ଗ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ସେହିପରି ଅନ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସରେ l ଗତ ବିଳମ୍ବିତ ରାତିରେ ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛକୁ ପିଟିଥିଲା ବିଏମଡବ୍ଲୁ କାର l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁର୍ମାର୍ ହୋଇଯାଇଥିଲା । ଚାଳକ ଓ ଅନ୍ୟ ଜଣେ କାରରେ ଚାପି ହୋଇ ରହିଯାଇଥିଲେ । ମୃତକ ହେଲେ ବଲାଙ୍ଗୀର ଜିଲ୍ଳା ଟିଟିଲାଗଡର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ । ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । କାରଟି ହରିୟାଣାର ବୋଲି ଜଣାପଡିଛି । ଦୁଇଟି ଗାଡିକୁ ଜବତ କରି ତଦନ୍ତ କରୁଛି ପୋଲିସ। । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଟିମ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । 

Tags: