ବାର୍ଦ୍ଧକ୍ୟ ଭତ୍ତା ହଡ଼ପ କରି ୩ ଗିରଫ

ବାର୍ଦ୍ଧକ୍ୟ ଭତ୍ତା ହଡ଼ପ କରି ୩ ଗିରଫ
Samaya Live News Picture
Published On

ବାଲେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି। ବାର୍ଦ୍ଧକ୍ୟ ଭତ୍ତା ହଡପ ଅଭିଯୋଗରେ ଭିଜିଲାନ୍ସ ହାତରେ ୩ ଜଣ ଗିରଫ ହୋଇଛନ୍ତି । ୧୬.୭୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଜି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ତିନି ଜଣ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି  ଭିଜିଲାନ୍ସ । ସେମାନେ ହେଲେ କଖରା ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ କୁମାର ପତି, ଖଇକା ବ୍ଲକ  କୁମ୍ଭାରମୁଳି ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଭୋଗରାଇ ବ୍ଲକ ଜଳେଶ୍ୱରପୁର ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ । 

ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୨/୨୦୨୬ରେ PC (Amendment) Act, 2018ର ଧାରା ୧୩(୨) ସହିତ ଧାରା ୧୩(୧)(a) ଏବଂ IPCର ଧାରା ୪୦୯ ଅନୁଯାୟୀ ମାମଲା ରୁଜୁ ହୋଇଛି । ସମସ୍ତ ଅଧିକାରୀଙ୍କ ଗିରଫ କରାଯିବା ପରେ କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 

ସୂଚନାନୁସାରେ, ଅଭିଯୁକ୍ତ ଅଧିକାରୀ ମାନେ  ୨୦୨୨ ରୁ ୨୦୨୫ ଯାଏଁ ଭୋଗରାଇ ବ୍ଲକ ଉନ୍ନୟନ କାର୍ଯ୍ୟାଳୟରୁ ଯୋଗ୍ୟ ହିତାଧିକାରୀଙ୍କ ମାସିକ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ପାଇଁ ନିୟମିତ ଭାବରେ ଆଗୁଆ ଟଙ୍କା ଉଠାଇଥିଲେ । କିନ୍ତୁ ଭତ୍ତା ବଣ୍ଟନ ପରେ ଅବଶିଷ୍ଟ ନଗଦ ଟଙ୍କାକୁ ଫେରସ୍ତ କରିନଥିଲେ କିମ୍ବା ହିସାବ ମଧ୍ୟ ଦେଇ ନ ଥିଲେ । ତିନି ଜଣ ରୀତିମତ ଭାବରେ ସେମାନଙ୍କର ବ୍ୟକ୍ତିଗତ ଲାଭ ପାଇଁ ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । 

Tags: