ମହିଳା ସିଆରସିସିଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ
ସମ୍ବଲପୁର : ମହିଳା ସିଆରସିସିଙ୍କୁ ଅସଦାଚରଣ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ଡିଇଓ, ବିଇଓଙ୍କ ସହ ପିଇଟି ସାର୍ ଙ୍କୁ ଗିରଫ କଲା ବରଗଡ଼ ପୋଲିସ । ବରଗଡ଼ ଟାଉନ ଥାନାଞ୍ଚଳରେ ମହିଳା ସିଆରସିସିଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ବରଗଡ ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର ସାହୁ ଓ ସତଲମା ସ୍କୁଲର PET ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ । ଗତକାଲି ତିନି ଅଧିକାରୀଙ୍କୁ ଉଠାଇ ନେଇଥିଲା ବରଗଡ଼ ଟାଉନ ପୋଲିସ । ଗିରଫ ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।ମହିଳାଙ୍କ ସୁରକ୍ଷା ଓ କର୍ମସ୍ଥଳରେ ଯୌନ ନିର୍ଯାତନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନାନୁସାରେ, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ବରଗଡ଼ ସଦର ବିଇଓ ନିଜ କାର୍ଯ୍ୟାଳୟକୁ ଡାକି ସିଆରସିସିଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏନେଇ ମହିଳା ଜଣଙ୍କ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଏଫଆଇଆର୍ ଆଧାରରେ ପୋଲିସ ବୁଧବାର ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିବ ପୋଲିସ । ସମ୍ପୃକ୍ତ ସିଆରସିସି ଜଣକ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ପ୍ରଶାସନିକ ସ୍ତରରେ ବି ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି ।




