ବର୍ଷା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ମିଳିବ - ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ପଛକୁ ପଛ ଲାଗିରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ଧାନ ତଳି ଧୋଇଯିବା ଯୋଗୁଁ ଚାଷୀ ମଧ୍ୟ ନାହିଁ ନଥିବା କ୍ଷତି ସହିଛନ୍ତି । ତେବେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଲଗାଣ ବର୍ଷା ଯୋଗୁଁ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଯଦି ଗୋଟିଏ ବ୍ଲକରେ ଗୋଟିଏ ଘର କିମ୍ବା ଚାଷ ଜମି ନଷ୍ଟ ହୋଇଥାଏ ତେବେ ତୁରନ୍ତ କ୍ଷତିପୂରଣ ଯୋଗାଇଦେବେ ସରକାର । ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରୁ କ୍ଷୟକ୍ଷତିର ରିପୋର୍ଟ ତଲବ କରାଯାଇଛି । ଏପର୍ଯ୍ୟନ୍ତ ବଲାଙ୍ଗୀର ଓ କଟକ ଜିଲ୍ଲାପାଳ ସରକାରଙ୍କୁ ରିପୋର୍ଟ ଦାଖଲ କରିସାରିଛନ୍ତି ।
ଅନ୍ୟ ଜିଲ୍ଲାରୁ ମଧ୍ୟ ଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଛନ୍ତି । କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ମଧ୍ୟସ୍ଥ ବିନା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପଠାଯିବ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି କ୍ଷତି ସହିଥିବା ଲୋକଙ୍କ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖିବେ । କ୍ଷତିପୂରଣ ହିସାବରେ ଅନଲାଇନରେ କ୍ଷତିପୂରଣ ରାଶି ଦିଆଯିବ ।ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସହାୟତା ପାଇବେ ଏବଂ ଆଗାମୀ ଚାଷ ପାଇଁ ସେମାନଙ୍କୁ ଆର୍ଥିକ ସହଯୋଗ ମିଳିବ ବୋଲି ଆଶା କରାଯାଉଛି । କମ-ବେଶି ବର୍ଷା ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ସପ୍ତାହ ଭିତରେ ଅନେକ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇ ଖାଦ୍ୟ ଦିଆଯାଇଛି ।




