ବିକ୍ରମ ପଣ୍ଡାଙ୍କ ନାଁ ରେ ପୁଣି ଏତଲା
ବ୍ରହ୍ମପୁର : ବ୍ରହ୍ମପୁର ର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ଥାନାରେ ଏତଲା । ସାକ୍ଷୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ରେ ଗୋଶାଣୀ ନୂଆଗାଁ ଥାନାରେ ଏତଲା ଦେଇଛନ୍ତି ଧମକର ଶିକାର ହୋଇଥିବା ସାକ୍ଷୀ । ବିକ୍ରମ ପଣ୍ଡାଙ୍କ ସହିତ ବିଜେଡି ନେତା ମଦନ ଦଳେଇ ଏବଂ ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଜେଲ ରେ ଥିବାବେଳେ ବିକ୍ରମ ପଣ୍ଡା ଜେଲ୍ ଡାକ୍ତରଙ୍କ ଫୋନ୍ ନେଇ ସାକ୍ଷୀଙ୍କୁ ଧମକାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଏବଂ ମଦନ ଦଳାଇ ଥିଲେ ଅଭିଯୁକ୍ତ ।
ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ୧୦ ମାସ ଜେଲ୍ରେ ରହିବା ପରେ ଅଗଷ୍ଟ ୩୧ ତାରିଖରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟାରେ ସେ ବ୍ରହ୍ମପୁର ଜେଲ୍ରୁ ମୁକୁଳିଥିଲେ । ତେବେ ଜେଲରେ ଥିବା ସମୟରେ ବିକ୍ରମ ପଣ୍ଡା ସାକ୍ଷୀଙ୍କୁ ଧମକ ଦେଇଥିଲେ । ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୋର୍ଟରେ ବିଚାରଣା ସମୟରେ ସାକ୍ଷୀ ନ ଦେବା ପାଇଁ ସେ ଚାପ ପକାଇଥିଲେ । ଗତ ଅଗଷ୍ଟ ୨୮ତାରିଖରେ ଏହି ଧମକ ଦିଆଯାଇଥିଲା । ସାକ୍ଷୀ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଧମକ ଦିଆଯାଉଥିବାର ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ୍କୁ ପୋଲିସ ଜବତ କରିସାରିଛି । ଗତ ଅଗଷ୍ଟ ୨୮ ତାରିଖରେ ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା । ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ।




