ମିଳିମିଶି ମୋ ପୁଅକୁ ମାରିଦେଲେ - ହ୍ୟୁମାନଙ୍କ ମା'
ଭୁବନେଶ୍ୱର : ଆଉ ନାହାନ୍ତି ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ଘଟିଛି । ସେ ଭିଭିନ୍ନ ପ୍ରକାର ରୋଗରେ ପୀଡିତ ଥିଲେ । ତାଙ୍କର ଏକାଧିକ ଅଙ୍ଗ କାମ କରୁନଥିଲା । ହ୍ୟୁମାନଙ୍କ ବିୟୋଗରେ ସମଗ୍ର କଳାକାର ମହଲ ସ୍ତବ୍ଧ ହୋଇଯାଇଛି । କଳାକାରଙ୍କ ସହ ତାଙ୍କ ଶୁଭେଚ୍ଛୁମାନେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ଏତେ କମ ବୟସରେ ହ୍ୟୁମାନ ସମସ୍ତଙ୍କୁ ଛାଡି ଚାଲିଯିବେ ବୋଲି ହଠାତ କେହି ବିଶ୍ୱାସ କରି ପାରୁନାହାନ୍ତି । ଅନେକ ସଫଳତା ସହ ଅଳ୍ପଦିନରେ ଅନେକ ଗୁଡିଏ ସ୍ମୃତି ଛାଡି ଚାଲିଗଲେ ହ୍ୟୁମାନ । ତାଙ୍କର ଅକାଳ ବିୟୋଗ, ସଂଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଆଜି ତାଙ୍କ ମରଶରୀର ଟିଟିଲାଗଡ଼ର ଜନ୍ମସ୍ଥାନ ଡେଙ୍ଗରେ ପହଁଚିଛି, ଯେଉଁଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ଗାଁରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଛି, ସ୍ଥାନୀୟ ଲୋକମାନେ ସେମାନଙ୍କ ପ୍ରିୟ କଳାକାରଙ୍କ ଶେଷ ଝଲକ ପାଇବା ପାଇଁ ଏକାଠି ହୋଇଛନ୍ତି ।
ଜନ୍ମ ମାଟିର ସୁନା ପୁଅକୁ ହରାଇ ବାହୁନୁଛନ୍ତି ଗ୍ରାମବାସୀ । ଏହି ସମୟରେ ତା'ଙ୍କ ମା' ଶେଫାଳି ସୁନା ଆଣିଛନ୍ତି ସଂଗୀନ ଅଭିଯୋଗ । ସେ କହିଛନ୍ତି ମୋ ପୁଅକୁ ୟୁଜ କରାଯାଉଥିଲା । ତା'ଦେହ ଖରାପ ସତ୍ତ୍ୱେ ତାକୁ ପ୍ରଗ୍ରାମ ପାଇଁ ବାଧ୍ୟ କରାଯାଉଥିଲା । ମେଲୋଡି ଟିମ ତାକୁ ଷ୍ଟେଜ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ । ସେ କହିଛନ୍ତି ପପୁ, ପ୍ରଶାନ୍ତ, ଗାୟିକା ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତ । ଅର୍ପିତା ମୋ ପୁଅକୁ ଧୋକା ଦେଇଛି । ମାନସିକ ବିଷାଦ ଭିତରେ ରହୁଥିଲା ମୋ ପୁଅ। କାଲି ICU ଆସିଥିଲେ ଏମାନେ। ମୋ ପୁଅକୁ ଅର୍ପିତା ମାରିଛି ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି ହ୍ୟୁମାନଙ୍କ ମାଆ।
ସେହିପରି ହ୍ୟୁମାନଙ୍କ ମାଉସୀ ମଧ୍ୟ ମ୍ୟାନେଜରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଦେହ ଖରାପ ଥିବା ସମୟରେ ଦିନେ ଶୋ ପାଇଁ କଟକରୁ ଧରିକି ଗଲେ ରାଉରକେଲା । ପୁଣି ସେହି ଦିନ ଆନ୍ଧ୍ର ସୀମାକୁ ନେଇକି ଯାଇଥିଲେ । ଅସୁସ୍ଥ ଲୋକଟି ଏତେ ବାଟ ଯାତ୍ରା କଲେ ତାର ଅବସ୍ଥା କଣ ହେବ । ଏପରିକି ଏହି ସବୁ ଲୋକେ ଶୋ ପାଇଁ ହ୍ୟୁମାନଙ୍କ ଚିକିତ୍ସା କରାଇବାକୁ ଦେଉ ନ ଥିଲେ । ଯେଉଁ ଦିନ ଆମେ ମେଡିକାଲରେ ଭର୍ତ୍ତି କଲୁ, ସେ ଦିନ ବି ସୋ ପାଇଁ ଯିବାକୁ କହୁଥିଲେ ବୋଲି ମାଉସୀ କହିଛନ୍ତି । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଯିଏ ପ୍ରକୃତ ଦାୟୀ ତାକୁ ତୁରନ୍ତ ଧଯାଉ ବୋଲି ସେ ଦାବି କରିଛନ୍ତି I


