ବର୍ଷାରୁ ମିଳିବ ଆଶ୍ବସ୍ତି ,୨ ଦିନ ଯାଏ ନାହିଁ ବଡ଼ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବ ଧୀରେ ଧୀରେ କମିଛି । ଫଳରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ ଇ କିନ୍ତୁ ପୁଣି ଥରେ ଅଗଷ୍ଟ ୨ ତାରିଖ ଠାରୁ ରାଜ୍ୟରେ ବଢିବ ବର୍ଷାର ପ୍ରକୋପ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଇଏମଡିର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ବର୍ତ୍ତମାନ କେନ୍ଦ୍ରୀୟ ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଛତିଶଗଡ଼ ଏବଂ ପୂର୍ବ ମଧ୍ୟପ୍ରଦେଶ ଦେଇ ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଗୁରୁବାରଠାରୁ ରାଜ୍ୟରେ ସାମଗ୍ରିକ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଯଦିଓ ରାଜ୍ୟରେ ବର୍ଷାର ପ୍ରକୋପ କମିବ, ତଥାପି ବିଜୁଳି ଓ ଘଡ଼ଘଡ଼ିର ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟର ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା। ଏହି ସବୁ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଦମକା ପବନ ବହିବାର ଆଶଙ୍କା ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, “ଜୁଲାଇ ୩୦ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର କୌଣସି ପୂର୍ବାନୁମାନ ନାହିଁ। ତେବେ ଏହି ସମୟ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷକରି ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଅନ୍ୟ ଅଞ୍ଚଳଗୁଡ଼ିକରେ କେବଳ ସାଧାରଣ ବର୍ଷା ଦେଖିବାକୁ ମିଳିବ।”




