ବିଜେଡି -କଂଗ୍ରେସ ଭିତରେ ହୋଇପାରେ ମେଣ୍ଟ - ଭକ୍ତ
ଭୁବନେଶ୍ୱର : ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ସବୁ ଦଳଙ୍କ ପକ୍ଷରୁ ଆରମ୍ଭ ହୋଇସାରିଲାଣି ଅଙ୍କକଷା । ଏସବୁ ଭିତରେ ପିସିସି ସଭାପତି ଭକ୍ତଚରଣ ଦାସ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମଧ୍ୟରେ ହୋଇପାରେ ମେଣ୍ଟ । ଯଦି ବିଜେଡ଼ି ସୁପ୍ରିମୋ ଚାହିଁବେ ମେଣ୍ଟ ହେଇପାରିବ । ଆଜି ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ଏହି ବୟାନ ଦେଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ରାଜ୍ୟସଭା ନିର୍ବାଚନରେ ଦୀର୍ଘ ବର୍ଷର ଅହିନକୁଳ ସମ୍ପର୍କ ଥିବା ବିଜେଡ଼ି ଓ କଂଗ୍ରେସ ଏକାଠି ହୋଇଯାଇଥିଲେ ।
ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ , ତେବେ ମେଣ୍ଟ ସମ୍ଭାବନା ରହିଛି । ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ । ଆମେ ଏକାକି ଲଢିବା ନେଇ ପ୍ରସ୍ତୁତ ଅଛୁ । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିର ରଖି କଂଗ୍ରେସ ନିଜର ସଂଗଠନ ସୁଦୃଢ କରୁଛି ।
ସେପଟେ ପିସିସି ସଭାପତିଙ୍କ ମେଣ୍ଟ ପ୍ରସଙ୍ଗକୁ ପରୋକ୍ଷରେ ସମର୍ଥନ କରିଛନ୍ତି ବିଜେଡ଼ି ନେତା ଦେବୀପ୍ରସାଦ ମିଶ୍ର । ସମ୍ଭାବନା ସବୁ କ୍ଷେତ୍ରରେ ରହିଛି। ପିସିସି ସଭାପତି ଯଦି କହିଛନ୍ତି ତାହାଲେ କିଛି ଅନୁଧ୍ୟାନ କରି କହିଥିବେ। ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦେବୀ ।
ସେହିପରି ନିର୍ବାଚନ ନେଇ ଦଳର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଂଗ୍ରେସ ପକ୍ଷରୁ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିସାରିଛି । ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ଜୋନ ଲେବୁଲରେ ଜନସଂପର୍କରେ ଆରମ୍ଭ ହୋଇସାରିଛି । ବ୍ଲକ ସଂଗଠନ କାମ ସରିଗଲାଣି । ଏ ମାସ ଶେଷ ସୁଦ୍ଧା ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ସଂଗଠନ କାର୍ଯ୍ୟ ଶେଷ ହେବ । ୪୩୦ ବ୍ଲକ ଓ ଟାଉନରେ ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ କାର୍ଯ୍ୟ ଶେଷ ହୋଇଯାଇଛି । ୩୨ ହଜାର ବୁଥ୍ରେ ବିଏଲଓ ଆପଏଣ୍ଟମେଣ୍ଟ ସରିଛି ।



