ଆଜି ଠାରୁ ୨ ଦିନ ଧରି ରତ୍ନଭଣ୍ଡାର ଗଣତି ମଣତି
ବାକି ରହିଛି ଝୋବା କଣ୍ଠି ଗଣତି
ପୁରୀ : ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ସୋମବାର ଓ ମଙ୍ଗଳବାର ଗଣତିମଣତି କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ହେବ । ଗଣତି ସହ ନୀତିକାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି ।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ବଣିଆ, ଜେମୋଲୋଜିଷ୍ଟ, ଭଣ୍ଡାର ମେକାପ, ଦେଉଳକରଣ ଉପସ୍ଥିତ ରହିବେ । ଗଣତିମଣତି ପାଇଁ ପାଖାପାଖି ଅପରାହ୍ଣ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ ।
କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନମାନଙ୍କରେ ଧାର୍ଯ୍ୟ ସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯିବ । କେବଳ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଭକ୍ତ ଫେରିବେ ।
ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ୨୦୨୫ ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୮ ଘଣ୍ଟା ୩ ମିନିଟ ରତ୍ନଭଣ୍ଡାର ଗଣତି ହୋଇସାରିଛି । ଚଳିତବର୍ଷ ରଥଯାତ୍ରା ଏବଂ ବହୁଳ ନୀତିକାନ୍ତି ପରିପାଳନ ପାଇଁ ଗଣତିମଣତି ବନ୍ଦ ରହିଥିଲା




