ପାଞ୍ଚଟି ପଞ୍ଜିକାକୁ ଅନୁମୋଦନ ଦେଲା ଶ୍ରୀମନ୍ଦିର ପ୍ରଶାସନ
କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରୀପାଠୀ ପାଞ୍ଚଟି ପାଞ୍ଜି
ପୁରୀ : ପର୍ବ ପର୍ବାଣି ପାଳନକୁ ନେଇ ହଟିବ ଦ୍ୱନ୍ଦ୍ୱ । ପର୍ବ ପାଳନ ନିମନ୍ତେ ୨୦୨୬-୨୭ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫ଟି ପଞ୍ଜିକାକୁ ଅନୁମୋଦନ ମିଳିଛି । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଚୂଡାନ୍ତ ପାଞ୍ଜି ସମୀକ୍ଷା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର ଜ୍ୟୋତିଷ, ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଏବଂ ପଞ୍ଜିକାର ମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତି ରହିଥିଲେ ।
ଆଗାମୀ ଦିନରେ ବିଭିନ୍ନ ପର୍ବପର୍ବାଣିକୁ ନେଇ ଯେଭଳି କୌଣସି ଦ୍ୱନ୍ଦ ନଉପୁଜେ ସେନେଇ ଆଜି ସମୀକ୍ଷା କରାଯାଇଥିଲା । ତେବେ ମୋଟ ପାଞ୍ଚଟି ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକାଶନ କରିବାକୁ ଅନୁମତି ପ୍ରଦାନ କରିଛି । ଏହାସହିତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵିକୃତି ପାଇନଥିବା କୌଣସି ପାଞ୍ଜି ଶ୍ରୀମନ୍ଦିର ସମ୍ପର୍କିତ କୌଣସି ପର୍ବପର୍ବାଣି ତ୍ରୁଟିପୂର୍ଣ୍ଣ ଭାବେ ପ୍ରକାଶନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ପଞ୍ଜିକାର ମାନେ ପୂର୍ବରୁ ଦେଇଥିବା ପାଣ୍ଡୁଲିପି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ଵାରା ସମସ୍ତ ଅସଙ୍ଗତିକୁ ଦୂର କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶନ ପାଇଁ ଅନୁମତି ପାଇଥିବା ୫ ଟି ପାଞ୍ଜି ହେଉଛି କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରୀପାଠୀ ପଞ୍ଜିକା । ଜନସାଧାରଣଙ୍କୁ ଏହି ୫ଟି ପାଞ୍ଜି ଅନୁସରଣ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।



