ଆସନ୍ତା ୩ଦିନ ମଧ୍ୟରେ ୪୫ଡିଗ୍ରୀ ଯାଏଁ ବଢିବ ତାତି !
ଭୁବନେଶ୍ୱର : ତତଲା କରେଇରେ ଭାଜି ହେଉଛି ସାରା ରାଜ୍ୟ । ସକାଳ ପହରୁ ଆରମ୍ଭ ହେଇ ଯାଉଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ବହୁଛି ଝାଞ୍ଜି ପବନ। ଗତକାଲି ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୪.୮ ଡିଗ୍ରି ରେକର୍ଡ ହୋଇଥିଲା । ସେହିପରି ଆଜି ଦିନ ୧୧ ଟା ବେଳକୁ ଝାରସୁଗୁଡା ତାପମାତ୍ରା ୪୨. ୪ ଡିଗ୍ରୀ ସେଲସିୟସ ଛୁଇଁଛି । ଆଜିଠାରୁ ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତାପମାତ୍ରା ବୃଦ୍ଧି ସହ ଆର୍ଦ୍ରତାର ପ୍ରଭାବରେ ଉପକୂଳର ସ୍ଥିତି ଆହୁରି ସଙ୍ଗିନ ହେଉଛି।
ଆଗକୁ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି ହୋଇଛି ।



