୩ ଦଫା ଦାବି ନେଇ ରାଜଧାନୀ ରାଜ ରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର
ଭୁବନେଶ୍ୱର : ରାଜଧାନୀ ରାଜ ରାସ୍ତାରେ ରଣହୁଙ୍କାର ଦେଲେ ପ୍ରାଥମିକ ଶିକ୍ଷକ I ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୩ ଦଫା ଦାବିନେଇ ରାସ୍ତାରେ ଧାରଣା ଦେଇଛନ୍ତି ଶିକ୍ଷକ ସଂଘ I ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନ କରୁଛନ୍ତି I ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ […]
ଭୁବନେଶ୍ୱର : ରାଜଧାନୀ ରାଜ ରାସ୍ତାରେ ରଣହୁଙ୍କାର ଦେଲେ ପ୍ରାଥମିକ ଶିକ୍ଷକ I ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୩ ଦଫା ଦାବିନେଇ ରାସ୍ତାରେ ଧାରଣା ଦେଇଛନ୍ତି ଶିକ୍ଷକ ସଂଘ I ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନ କରୁଛନ୍ତି I ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ବୋଲି ରବିବାର ଦିନ ଶିକ୍ଷକ ନେତାମାନେ ଚେତାବନୀ ଶୁଣାଇଛନ୍ତି।
ଗୋଟିଏ ପଟେ ୫୦ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। କାରଣ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୭୦% ଶିକ୍ଷକ/ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିବାରୁ ସୋମବାର ଠାରୁ ଅଧିକାଂଶ ସ୍କୁଲରେ ତାଲା ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପଟେ ପୂର୍ବ ଘୋଷଣା ଅନୁଯାୟୀ, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍ସନ୍ ଯୋଜନାଭୁକ୍ତ) ଡାକରାରେ ସାରା ରାଜ୍ୟରୁ ହଜାର ହଜାର ଶିକ୍ଷକ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ।
ମହାସଂଘର ନେତାମାନେ ଅଭିଯୋଗ କରି କହିଛନ୍ତି କି, ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଓଡ଼ିଶାର ଆର୍ଥିକ ସଂକଟ ସମୟରେ ୨୦୦୧ରୁ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ନାମରେ ପ୍ରାଥମିକ ଶିକ୍ଷାରେ ନିଯୁକ୍ତି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଆପଣା ଯାଇଥିଲା। ଏହି ବ୍ୟବସ୍ଥା ଉଠାଇବା ଲାଗି ଶିକ୍ଷକମାନେ ବିଭିନ୍ନ ସମୟରେ ଦାବି କରୁଥିଲେ। ପରିଣାମସ୍ବରୂପ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିବା ନେଇ ଘୋଷଣା କରାଯାଇଥିଲା । ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୧୩ର ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରାଯିବା ସହ ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ନିୟମିତ କରାଯାଇଛି। ହେଲେ ୨୦୦୧ରୁ ୧୫୦୦ଟଙ୍କା ପାରିଶ୍ରମିକରେ ଶିକ୍ଷାଦାନ କରି ସରକାରଙ୍କ ରାଜକୋଷକୁ ଭରଣ କରିଥିବା ପ୍ରାଥମିକ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ଦେଖାଇଛନ୍ତି।
ସେହିପରି ଦେଶର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ପ୍ରଦାନ କରାଯାଉଛି। ମାତ୍ର ଓଡ଼ିଶାରେ ଶିକ୍ଷକଙ୍କୁ ୨୨୦୦ ଗ୍ରେଡ୍-ପେ’ ଅନୁସାରେ ଦରମା ମିଳୁଛି। ୨୦୦୫ ପରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ଅବସର ପରେ ନୂତନ ପେନ୍ସନ ଯୋଜନାରେ ମାସିକ ମାତ୍ର ଏକ ହଜାର ଟଙ୍କା ବେତନ ପାଉଛନ୍ତି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ଦାବିଗୁଡ଼ିକ ପୂରଣ କରା ନ ଗଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସଭାପତି ମଣ୍ଡଳୀ ସଦସ୍ୟ ସୁଶାନ୍ତ ବେହେରା ଙ୍କ ସହିତ ବ୍ରହ୍ମାନନ୍ଦ ମହାରଣା, ରଜେଶ ମହାନ୍ତି, ସାଧାରଣ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଭୂ ପ୍ରସାଦ ସାହୁ, ବଙ୍କିମ ସାଗର, ପ୍ରଭୃତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି I




