ରଜରେ ଭିଜିବ ରାଜ୍ୟ , ପାଣିପାଗ ବିଭାଗ ର ବଡ଼ ସୂଚନା

ରଜରେ ଭିଜିବ ରାଜ୍ୟ , ପାଣିପାଗ ବିଭାଗ ର ବଡ଼ ସୂଚନା
Samaya Live News Picture
Published On

ଭୁବନେଶ୍ୱର : ତାତିରେ ସିଝୁଥିବା ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଚଳିତ ବର୍ଷ ରଜରେ ଭିଜିବ ସାରା ରାଜ୍ୟ । ଆଗାମୀ ୩ ଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ରଜ ପର୍ବ ସମୟରେ ମୌସୁମୀର ଆଗମନ ହେବାକୁ ଥିବାରୁ ଚାଷୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ସତ୍ତ୍ୱେ ମେଘୁଆ ପାଗ ସହ ବର୍ଷା, ବଜ୍ରପାତ ଓ ଝଡ଼ପବନ ହେଉଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ, କିନ୍ତୁ ଏହାପରେ ପାରଦ ହ୍ରାସ ପାଇବା ସହ ଅସହ୍ୟ ଗରମରୁ ତ୍ରାହି ମିଳିବ । 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗି ରହିବ। ବଜ୍ରପାତ, ଘଡ଼ଘଡ଼ି ଓ ପବନ ସହ ବର୍ଷାର ସମ୍ଭାବନା ରହିଥିବାରୁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ମାଲକାନଗିରି, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି।

ସେହିପରି ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ କହିଛି, ଆସନ୍ତା ୨ ଦିନ ପରେ ରାଜ୍ୟର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିପାରେ। ତେବେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।

 

Tags: