ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ରାଜ୍ୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ରାଜ୍ୟ
Samaya Live News Picture
Published On

ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟବାସୀ । ରାଜ୍ୟବ୍ୟାପୀ କରାଯାଇଛି ବ୍ୟାପକ ଆୟୋଜନ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ସ୍ବାଭିମାନୀ ସ୍ବର ସମ୍ଭାଷର ଉଦଗାତା ବିଜୁବାବୁ ଯଥାର୍ଥରେ ଏକ କିମ୍ବଦନ୍ତୀ ପୁରୁଷ । 

ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍, ସଫଳ ଶିଳ୍ପପତି ଏବଂ ଦୂରଦର୍ଶୀ ରାଜନେତା ଭାବେ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା । ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ ।

ଭୁବନେଶ୍ୱର ବିମାନବନ୍ଦର, ଚୌଦ୍ୱାର ଓ ବଡ଼ବିଲ ଶିଳ୍ପାଞ୍ଚଳ, ତାଳଚେର ଥର୍ମାଲ୍, ନାଲକୋ ଏବଂ ସୁନାବେଡ଼ା HAL ଭଳି ବଡ଼ ପ୍ରକଳ୍ପର ରୂପାୟନ ପଛରେ ତାଙ୍କର ବଡ଼ ଭୂମିକା ଥିଲା । ସେହିପରି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବିକାଶ ଓ ବିଜ୍ଞାନକୁ ଲୋକପ୍ରିୟତା କରାଇବାରେ ବଳିଷ୍ଠ ଅବଦାନ ରହିଛି । ଭୁବନେଶ୍ବରରେ କୃଷି ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ ପ୍ରତିଷ୍ଠା ଏବଂ ବିଶ୍ୱସ୍ତରରେ ବିଜ୍ଞାନର ପ୍ରଚାର ପାଇଁ ୟୁନେସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ଆରମ୍ଭ କରିଥିଲେ। ମହିଳାଙ୍କୁ ସଶକ୍ତ କରିବାରେ ବିଜୁବାବୁଙ୍କ ଭୂମିକା ଅତୁଳନୀୟ । ଭାରତରେ ପ୍ରଥମ କରି ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରି ସେ ଇତିହାସ ରଚିଥିଲେ । ଜଣେ ଦୁଃସାହସୀ ପାଇଲଟ୍ ଭାବେ ସେ ଭାରତ ଛାଡ଼ ଆନ୍ଦୋଳନ ଓ କାଶ୍ମୀର ଅପରେସନରେ ମୁଖ୍ୟ ଭୂମିକା ନେଇଥିଲେ ।

ଇଣ୍ଡୋନେସିଆର ନେତାମାନଙ୍କୁ ବିପଦରୁ ରକ୍ଷା କରିଥିବାରୁ ତାଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ରରେ ସମ୍ମାନିତ କରାଯାଇଥିଲା । ବିଜୁବାବୁଙ୍କ ଦେହାନ୍ତରେ କେବଳ ଓଡ଼ିଶା କିମ୍ବା ଦେଶରେ ନୁହେଁ, ବିଶ୍ବର ଅନେକ ଦେଶରେ ଶୋକର ଛାୟା ଖେଳିଯାଇଥିଲା । ବିଜୁ ବାବୁଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ତିନୋଟି ଦେଶ ଭାରତ, ଇଣ୍ଡୋନେସିଆ ଏବଂ ଋଷର ଜାତୀୟ ପତାକାରେ ଆଚ୍ଛାଦିତ କରାଯାଇଥିଲା । କଳିଙ୍ଗର ବୀର ସନ୍ତାନ ଭାବେ ସେ ସଦା ସର୍ବଦା ସ୍ମରଣୀୟ ।

ଏହି ଦିବସକୁ ସ୍ମରଣ କରିବା ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପାର୍କ ସମେତ ରାଜ୍ୟବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିଏମସି ମେୟର ସୁଲୋଚନା ଦାସ ଏବଂ ଭୁବନେଶ୍ୱରର ତିନି ବିଧାୟକ ପାର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସେପଟେ,  ବିଜୁ ଲିଗାସିର ବରିଷ୍ଠ ନେତାମାନେ ଗୋଟିଏ ଛାତ ତଳେ ଏକାଠି ହେଉଛନ୍ତି। ‘ଓଡ଼ିଶା ନାଗରିକ ମଞ୍ଚ’ ନାମରେ ଏକ ଅନୁଷ୍ଠାନ ଗଠନ କରି ବିଜୁଙ୍କ ପୁଣ୍ୟତିଥି ପାଳନ କରିବେ। ଶୁକ୍ରବାର ସକାଳ ୧୦ଟାରେ ଓୟୁଏଟି ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରସ୍ତୁତ ହୋଇଥିବା ନିମନ୍ତ୍ରଣ ପତ୍ରରେ ବରିଷ୍ଠ ରାଜନେତା ଦିଲୀପ ରାୟ, ବିଜୟ ମହାପାତ୍ର ଓ ସୌମ୍ୟରଂଜନ ପଟ୍ଟନାୟକ ନିବେଦକ ଅଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ବରିଷ୍ଠ ନେତା ଲାଗି ପଡ଼ିଛନ୍ତି। କେବଳ ରାଜନୈତିକ ବ୍ୟକ୍ତି ନୁହନ୍ତି, ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। 

Tags: