ଆଜି ଠାରୁ ଶ୍ରୀ ଜୀଉଙ୍କ ରତ୍ନଭଣ୍ଡାର ଦ୍ଵିତୀୟ ପର୍ଯ୍ୟାୟ ଗଣତି ମଣତି
ପୁରୀ : ଆଜିଠାରୁ ପୁଣି ୩ଦିନ ଧରି ଚାଲିବ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି । ପୂର୍ବାହ୍ନ ୧୧ ଟା ୩୦ ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ଏହାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ବସିଥିଲା । ୧୧ ତାରିଖ ଯାଏଁ ଗଣତି ପରେ ପୁଣି ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ । ଏସ୍ଓପି ବା ମାର୍ଗଦର୍ଶିକା ମୁତାବକ ସୁପର୍ ଭାଇଜିଂ ଓ ହ୍ୟାଣ୍ଡଲିଂ ଟିମ୍ ସହଯୋଗରେ ଗଣତିମଣତି କରାଯିବ। ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ।
ସୂଚନାନୁସାରେ ,ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର କେବଳ ସୁନାବେଶ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯାଇଥାଏ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ଗଣତି ବେଳେ ରତ୍ନ ବିଶାରଦ, ଶ୍ରୀମନ୍ଦିର ବଣିଆ, ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ ମାପ ବିଭାଗର ଅଧିକାରୀମାନେ କସଟି ପଥର, ରତ୍ନ ଚିହ୍ନିବା ପାଇଁ ଲେନ୍ସ ଓ ଅଳଙ୍କାର ଓଜନ ମେସିନ୍ ସହ ଭିତରକୁ ଯିବେ ବୋଲି ସୂଚନା ମିଳିଛି ।
ବାହାର ଭଣ୍ଡାରରେ ରହିଛି ପ୍ରାୟ ୮୧୭୫ ଭରିର ୭୯ଟି ସୁନା ଅଳଙ୍କାର ଓ ଦ୍ରବ୍ୟ । ସେହିପରି ଏଠାରେ ପ୍ରାୟ ୪୬୭୧ ଭରିର ରହିଛି ୩୯ ପ୍ରକାରର ରୁପା ଅଳଙ୍କାର ଓ ଦ୍ରବ୍ୟ। ପୂର୍ବାହ୍ଣ ୧୦ଟା ପରେ ପ୍ରଶାସନିକ ନିର୍ଦ୍ଧାରିତ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଗଣତିମଣତି କାମ କରିବେ । ବିଶେଷ କରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ବାହାର ଭଣ୍ଡାରରେ ରହିଛି । ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ । ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।




