ସୀମିତ ହେଲା ତଦନ୍ତକାରୀ ଅଫିସରଙ୍କ ଭୂମିକା
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ବିରୋଧରେ ହେଉଥିବା ବିଭାଗୀୟ ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି । ଏଣିକି ତଦନ୍ତ ଅଧିକାରୀ (ଇନ୍କ୍ୱାରି ଅଫିସର) ତାଙ୍କ ରିପୋର୍ଟରେ କୌଣସି ଦଣ୍ଡ କିମ୍ବା ଶାସ୍ତି ସମ୍ପର୍କରେ ସୁପାରିସ କରିବେ ନାହିଁ । ସେମାନଙ୍କ ରିପୋର୍ଟ କେବଳ ଅଭିଯୋଗର ସତ୍ୟତା, ଉପସ୍ଥାପିତ ପ୍ରମାଣ ଓ ତାହାର ଆଧାରରେ ଦିଆଯାଇଥିବା ମତାମତରେ ସୀମିତ ରହିବ। । ଏନେଇ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ବର୍ତ୍ତମାନ ନିୟମ ଅନୁଯାୟୀ, ତଦନ୍ତ ଅଧିକାରୀମାନେ ଅଭିଯୋଗ ପ୍ରମାଣିତ ହେଲେ ଦଣ୍ଡ ସୁପାରିସ କରିପାରୁଥିଲେ ।
ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଦଣ୍ଡ ନିର୍ଦ୍ଧାରଣ ଏବଂ ଲାଗୁ କରିବାର କ୍ଷମତା କେବଳ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ପାଖରେ ରହିଛି । ବିଭାଗର ଦୃଷ୍ଟିକୁ ଆସିଛି ଯେ, କେତେକ କ୍ଷେତ୍ରରେ ତଦନ୍ତ ଅଧିକାରୀଙ୍କ ସୁପାରିସ ଅନୁଯାୟୀ ଦଣ୍ଡ ଦିଆଯାଇ ନ ଥିବାରୁ ସଂପୃକ୍ତ କର୍ମଚାରୀମାନେ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି । ଏହା ଫଳରେ ଅନାବଶ୍ୟକ ମକଦ୍ଦମା ସହ ପ୍ରଶାସନିକ ଜଟିଳତା ମଧ୍ୟ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦୂର କରିବା ପାଇଁ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଏଣିକି ତଦନ୍ତ ରିପୋର୍ଟରେ ପ୍ରତ୍ୟେକ ଅଭିଯୋଗ ସମ୍ପର୍କରେ ନିଷ୍କର୍ଷ, ତାହାର କାରଣ ଓ ଉପଲବ୍ଧ ପ୍ରମାଣର ବିବରଣୀ ରହିବ । ଦଣ୍ଡ ସୁପାରିସ କରିବାର ପ୍ରଥାକୁ ବନ୍ଦ କରାଯାଇଛି । ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଶୃଙ୍ଖଳା କର୍ତ୍ତୃପକ୍ଷ ଓ ତଦନ୍ତ ଅଧିକାରୀଙ୍କୁ କୁହାଯାଇଛି ।




