ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ, ରାଗିଲେ ରାଜସ୍ବ ମନ୍ତ୍ରୀ

ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ, ରାଗିଲେ ରାଜସ୍ବ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ମୌସୁମୀ ଅଧିବେଶନ ର ଆଜି ୩ୟ ଦିନ । ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୩ଦିନ ଧରି ସ୍ୱାଭାବିକ ହୋଇ ପାରୁନାହିଁ ଗୃହ କାର୍ଯ୍ୟ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଧୋଇ ଯାଉଛି ପ୍ରଶ୍ନକାଳ । ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନଙ୍କ ନିରନ୍ତର ନାରାବାଜି ଓ ପ୍ରତିବାଦ କାରଣରୁ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଛି, ଯାହାକୁ ନେଇ ଶାସକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ଆଜି ପ୍ରଶ୍ନ କାଳ ଉତ୍ତର ଦେବା ସମୟରେ ହଠାତ୍‌ ବିରୋଧୀ ସଦସ୍ୟଙ୍କ ଉପରେ ରାଗିଗଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ ରାଜସ୍ୱ ମନ୍ତ୍ରୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । 

ରାଜସ୍ବମନ୍ତ୍ରୀ ଉଦବେଗ ପ୍ରକାଶ କରି କହିଥିଲେ , ଗୃହରେ ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରସଙ୍ଗ ଏବଂ ଆଲୋଚନା ଚାଲିବା ଆବଶ୍ୟକ। ମାତ୍ର ବିରୋଧୀ ଦଳ ଗଠନମୂଳକ ଆଲୋଚନାରୁ ଦୂରେଇ ରହି କେବଳ ରାଜନୈତିକ ଫାଇଦା ପାଇଁ ଗୃହ କାର୍ଯ୍ୟକୁ ଅଚଳ କରୁଛନ୍ତି। ସେ ବିରୋଧୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଯଦି ସେମାନଙ୍କର ସାହସ ଅଛି, ତେବେ ଗୃହରେ ନିୟମ ଅନୁଯାୟୀ ଆଲୋଚନା କରନ୍ତୁ, ଏଭଳି ପାଟିତୁଣ୍ଡ କରି ଓଡ଼ିଶାବାସୀଙ୍କ ସମୟ ଓ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ।ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଗୃହର କାର୍ଯ୍ୟଧାରାକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ୁଛି। 

ବନ୍ୟାରେ ଝାରସୁଗୁଡ଼ାରେ ବ୍ୟାପକ ଭାବରେ ଘର ଭାଙ୍ଗିଛି । ଲୋକ ରହିବା ପାଇଁ ଘର ନାହିଁ , ଝାରସୁଗୁଡ଼ା ସଦର ଏବଂ ବିଭିନ୍ନ ବ୍ଲକରେ ବର୍ଷା ପାଇଁ ମାଟି ଘର ଭାଙ୍ଗିଯାଇଛି । ବନ୍ୟା ଅଞ୍ଚଳ ପାଇଁ ଅନେକ କିଛି କରୁଛନ୍ତି । ହେଲେ ଯେଉଁଠି ଘର ଭାଙ୍ଗିଛି, ସେଠାରେ କିଛି କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଯାହାକୁ ଶୁଣି ଉଦ୍ବେଗ ପ୍ରକାଶ କରିଥିଲେ ସୁରେଶ ପୂଜାରୀ ।

ସେହିଭଳି, ଆଜି ରାଜସ୍ବମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ରିପୋର୍ଟରଙ୍କ ଚେୟାର ଉପରେ ଛିଡ଼ା ହୋଇ ଆନ୍ଦୋଳନ କରୁଥିଲେ ବିରୋଧୀ । ଯାହାକୁ ନେଇ ସେ କହିଥିଲେ ଯେ, ବିଧାନସଭାରେ କୌଣସି ସଦସ୍ୟ ବକ୍ତବ୍ୟ ଦେଲା ବେଳେ ଚେୟାରକୁ ଦେଖି ଉତ୍ତର ଦେବା ନିୟମ ରହିଛି । କିନ୍ତୁ ବିରୋଧୀ ଦଳ ସଦସ୍ୟ ଯେଉଁଭଳି ଚେୟାର ଉପରେ ଛିଡା ହେଇଛନ୍ତି ଉପବାଚସ୍ପତିଙ୍କୁ ଦେଖି ହେଉନି। ଉପ ବାଚସ୍ପତି ମଧ୍ୟ କିଛି କହୁନାହାନ୍ତି।

Tags: