ଆସନ୍ତାକାଲି ହେବ ରତ୍ନ ଭଣ୍ଡାର ଗଣତିମଣତି
ଭୁବନେଶ୍ୱର : ମାର୍ଚ୍ଚ ୨୫, ବୁଧବାର ମାହେନ୍ଦ୍ର ବେଳାରେ ଖୋଲିବ ରତ୍ନଭଣ୍ଡାର । ଶୁଭବେଳା ୧୨ଟା ୧୨ରୁ ଗୋଟାଏ ୪୫ ମିନିଟ୍ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବା । ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ । ପର୍ଯ୍ୟାୟ କ୍ରମେ ରତ୍ନ ଅଳଙ୍କାର ଗଣତିମଣତି ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ୪୬ ବର୍ଷ ଧରି ରତ୍ନ ଅଳଙ୍କାର ଗଣତି ମଣତି ହୋଇନଥିଲା । ଦୀର୍ଘ ବର୍ଷ ପରେ ଶୁଭ ମୁହୂର୍ତ୍ତ ଆସିଛି । ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ରହିଛି ଶ୍ରୀମନ୍ଦିର । ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଉଥିବା ଯୋଗୁଁ ସମୟ ଲାଗିଥିଲା । ତେବେ ରତ୍ନ ଅଳଙ୍କାରର ଗଣତି ମଣତିର ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ କରାଯିବ । ଏଥିପାଇଁ ବିଶେଷଜ୍ଞ ଟିମ୍ ନିୟୋଜିତ ହୋଇଛନ୍ତି । ସମସ୍ତ କାର୍ଯ୍ୟର ଫଟୋଗ୍ରାଫି କରାଯିବ ।
ମହାପ୍ରଭୁଙ୍କର ୧୨ହଜାର ୮୩୮ ଭରି ସୁନା ରହିଥିବା ବେଳେ ୨୨ ହଜାର ୧୫୩ ଭରି ରୂପା ରହିଛି ଏବଂ ୭୪୭ ଭରି ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର ରହିଛି । ସେହିପରି ଭିତର ଭଣ୍ଡାରରେ ରହିଛି ୩୬୭ ପ୍ରକାର ଅଳଙ୍କାର । ୧୯୭୮ ମସିହା ତାଲିକା ଅନୁସାରେ ଗଣତି କରାଯିବ । ଦୁର୍ମୁଲ୍ୟ ରତ୍ନ ଥିବାରୁ ଜେମୋଲୋଜିଷ୍ଟ ଦୁଇଜଣଙ୍କୁ ରଖାଯାଇଛି ଟିମରେ ।
ସେପଟେ, ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନ ଯେଭଳି ପ୍ରଭାବିତ ନହେବ ସେନେଇ ଗୁରୁତ୍ବ ଦିଆଯାଇଛି । ଗଣତି ମଣତି କାର୍ଯ୍ୟ କେବେ ସରିବ ତାହା କହିହେବ ନାହିଁ । ନିର୍ଦ୍ଧିଷ୍ଟ ସମୟ କହିବା ଠିକ୍ ହେବ ନାହିଁ । ଯେଉଁମାନେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟରେ ରହିବେ ଏସଓପିକୁ ସମସ୍ତେ ଅନୁପାଳନ କରିବେ । ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଗତକାଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।



