୭ ଦଫା ଦାବି ନେଇ ୩ ଦିନ ହେଲା ପାଚିକା ମହାସଂଘର ଅହୋରାତ୍ର ଧାରଣା
ଭୁବନେଶ୍ୱର : ୭ ଦଫା ଦାବି ନେଇ ଅହୋରାତ୍ର ଧାରଣା ଦେଇଛନ୍ତି ମଧାହ୍ନ ଭୋଜନ ପାଚିକା ସଂଘ । ବିଗତ ୩ ମାସରୁ ଦରମା ବନ୍ଦ ରହିଥିବା ନେଇ ବିରୋଧ କରି ପାଚିକାମାନେ ଲୋୟର ପିଏମଜି ଠାରେ ଗତ ୩ଦିନ ଧରି ବିକ୍ଷାଭ ପ୍ରଦର୍ଶନ କରୁଛନ୍ତି । ମହିଳା ମାନେ ଦୀର୍ଘ ୩୦ ବର୍ଷ ଧରି କାମ କରିଆସୁଥିବା ବେଳେ ଏପର୍ଯ୍ୟନ୍ତ ପରିଚୟ ପତ୍ର ଓ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟ ସଂଘ ଧାରଣାରେ ବସିଛନ୍ତି । ୮୦ ଟଙ୍କା ଦିନକ ଭତ୍ତା ହିସାବରେ ସେମାନଙ୍କୁ ୩ ମାସ ହେଲା ଦରମା ମିଳିନି। ତେଣୁ ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଖରା ତାତିକୁ ଖାତିର ନ କରି ଏହି ବିକ୍ଷୋଭ ସମାବେଶରେ ୨୦ ହଜାରରୁ ଅଧିକ ପାଚିକା ଯୋଗଦେଇଛନ୍ତି ।
ଦାବି ପୂରଣ ନହେବାରୁ ଆଜି ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ପାଚିକା। ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଆତ୍ମହତ୍ୟା ଉଦ୍ୟମ କରି ଜଣେ ପାଚିକା ଆହତ ହୋଇଛନ୍ତି । ଆହତ ପାଚିକାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମାନ କାମକୁ ସମାନ ଦରମା ଦେବାକୁ ପାଚିକା ସଙ୍ଘ ଅଡ଼ି ବସିଛନ୍ତି।



