ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୁର୍ଣ୍ଣିବଳୟ

ବଙ୍ଗୋପସାଗରରେ ଦାନ ବାନ୍ଧୁଛି ବାତ୍ୟା 'ସେନ୍ୟାର'

ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୁର୍ଣ୍ଣିବଳୟ
Samaya Live News Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନ ବାନ୍ଧୁଛି ବାତ୍ୟା 'ସେନ୍ୟାର'। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି।

ଆଇଏମ୍‌ଡିର ସୂଚନା ଅନୁଯାୟୀ, ମଲାକ୍କା ଷ୍ଟ୍ରେଟ୍‌ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ରବିବାର ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ତେବେ ବାତ୍ୟାରେ ପରିଣତ ହେବା ପରେ ଏହା କେଉଁ ଆଡକୁ ମୁହାଁଇବ ଏବଂ ଏହାର ଦିଗ କ’ଣ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ୟୁଏଇ ସମ୍ଭାବ୍ୟ ବାତ୍ୟାର ନାମ ‘ସେନ୍ୟାର’ କରିଛି। ସେନ୍ୟାର ଅର୍ଥ ସିଂହ।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଦୁଇଟି ସିଷ୍ଟମ ଯୋଗୁଁ ମଡେଲ ଗୁଡ଼ିକର ଆକଳନରେ କୌଣସି ସ୍ପଷ୍ଟତା ଆସୁନାହିଁ। କାରଣ ଯେଉଁ ସିଷ୍ଟମ ଅଧିକ ଘନୀଭୂତ ହେବ ଓ କେଉଁଟି ଦୁର୍ବଳ ହେବ ତାକୁ ନେଇ ମଡେଲ ଗୁଡ଼ିକର ଆକଳନ ଦ୍ବନ୍ଦ୍ବରେ ପକାଉଛି। 

ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରୁଥିବା ବିଭିନ୍ନ ମଡେଲ ଅନୁଯାୟୀ, ୨୫ତାରିଖ ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢିବ। ଘଣ୍ଟାପ୍ରତି ବେଗ ୫୦ରୁ ୬୦ କି.ମି. ରହିବ। ସେହିପରି ୨୬ ତାରିଖ ସକାଳୁ ପବନର ବେଗ ୬୦ରୁ ୭୦ କି.ମି.ରେ ରହି ସର୍ବାଧିକ ୮୦ କି.ମି. ହେବ। ୨୭ ତାରିଖ ସକାଳୁ ପବନର ବେଗ ସର୍ବାଧିକ ୧୦୦ କି.ମି. ରହିପାରେ ବୋଲି ଆକଳନ କରାଯାଇଛି।

Tags: