ରତ୍ନସିଂହାସନ ରେ ବିରାଜିଲେ ମହାପ୍ରଭୁ,ଆଜି ଠୁ ମିଳିବ ଆନନ୍ଦ ବଜାର ଅବଢ଼ା

ରତ୍ନସିଂହାସନ ରେ ବିରାଜିଲେ ମହାପ୍ରଭୁ,ଆଜି ଠୁ ମିଳିବ ଆନନ୍ଦ ବଜାର ଅବଢ଼ା
Samaya Live News Picture
Published On

ପୁରୀ : ବଡ଼ଦାଣ୍ଡରେ ସରିଲା ମହାପ୍ରଭୂଙ୍କ ଲୀଳାଖେଳା । ନବଦିନାତ୍ମକ ମାନବୀୟ ଲୀଳା ସାରୀ ଶ୍ରୀମନ୍ଦିରକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତି, ଭାବ,ପରମ୍ପରା ଭିତରେ ମା'ସାଆନ୍ତାଣିଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ ନୀତି  । ୧୨ ଦିନର ଲୀଳାଖେଳା ଶେଷ କରି ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ବିଜେ କରି ପୁଣି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି । ଏହା ସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଭାବପୂର୍ଣ୍ଣ ସମାପ୍ତି ଘଟିଛି । ଗତକାଲି ରଥ ଉପରେ ସନ୍ଧ୍ୟାକାଳୀନ ନୀତିକାନ୍ତି ଶେଷ ହେବା ପରେ ଗୋଟି ପହଣ୍ଡିରେ ଠାକୁରମାନଙ୍କୁ ଶ୍ରୀମନ୍ଦିର ଭିତରକୁ ବିଜେ କରାଯାଇଥିଲା । ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିରକୁ ପ୍ରବେଶ କରିଥିଲେ। ଘଣ୍ଟ, ଘଣ୍ଟା, କାହାଳୀ ଓ ଶଙ୍ଖଧ୍ୱନି ସହ ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର ପରିସର । ମହାପ୍ରଭୁ ପୁଣି ରତ୍ନ ସିଂହାସନରେ ବିରାଜିବା ପରେ ଶ୍ରୀମନ୍ଦିରର ନିୟମିତ ନୀତିକାନ୍ତି ଓ ସାଧାରଣ ଦର୍ଶନ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ଚାଲିବ ।

ଚତୁର୍ଦ୍ଧା ମୂର୍ତିଙ୍କ ଗୁଣ୍ଡିଚା ଯାତ୍ରା ପର ଠାରୁ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ବନ୍ଦ ରହିଥିଲା । ନୀଳାଦ୍ରି ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଦିନରେ ପ୍ରାୟ ଲକ୍ଷେ ଭକ୍ତଙ୍କ ପାଇଁ ଅବଢ଼ା ତିଆରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ନୀଳାଦ୍ରି ବିଜେର ଶ୍ରୀଜିଉଙ୍କ ନୀତିକାନ୍ତିରେ କିଛିଟା ସମୟ ବ୍ୟବଧାନ ହେଉଥିବାରୁ, ଆଜି ନୀଳାଚଳ ଅବଢ଼ା ବାହାରିବାରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Tags: