ଅଣସରଘରେ ମହାପ୍ରଭୁ , ଚାଲିଛି ଗୁପ୍ତ ସେବା
ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜିଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଅଣସର ଘରେ ରହିବେ ଶ୍ରୀଜୀଉ । ଅଣସରର ପିଣ୍ଡିରେ ମହାପ୍ରଭୁଙ୍କର ଗୁପ୍ତନୀତି ଆରମ୍ଭ ହୋଇଛି । କେବଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀବିଗ୍ରହ ସେବା କରିବେ । ଜ୍ବରରେ ପଡ଼ି ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ ଦାରୁବ୍ରହ୍ମ । ସ୍ନାନଯାତ୍ରା ପରେ ପରମ୍ପରା ଅନୁସାରେ ଅନବସର ନୀତି ହୋଇଥାଏ । ମହାପ୍ରଭୁଙ୍କ ପ୍ରତିବଦଳରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦଶାବତାର ଠାକୁରଙ୍କ ସହ ପଟି ଦିଅଁଙ୍କ ପୂଜା । ଶ୍ରୀମନ୍ଦିରର ବଡ଼ ଓଡ଼ିଆ ମଠର ପାରମ୍ପରିକ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ପଟ୍ଟଚିତ୍ରକୁ ପଟିଦିଅଁ କୁହାଯାଏ ।
ଶଡାଙ୍ଗ ବିଧି ଭିତରେ ପାଳିତ ହୁଏ ଅଣସର ନୀତି । ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ବାହୁଡ଼ିବା ପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିଥାନ୍ତି । ପରେ କୋଠ ସୁଆଁସିଆମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି । ଏହି ବାଉଁଶ ତାଟିରେ ୨ ଭାଗରେ ବିଭକ୍ତ ହୋଇଥାଏ । ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗରେ ଏକ ଖଟ ରଖା ଯାଇଥାଏ । ଏହା ପୂର୍ବରୁ ଚିତ୍ରକାର ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ରଖିଥାନ୍ତି । ପଟିଦିଅଁ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପରମ୍ପରା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ପଟି ଦିଅଁ ପୂଜା ପାଉଛନ୍ତି । ଆଜି ସକାଳୁ ପଟିଦିଅଁ ସମ୍ମୁଖରେ ଆଳତି ଓ ଅନାନ୍ୟ ନୀତିକାନ୍ତି କରାଯାଉଛି । ଅଣସର ତାଟି ସମ୍ମୁଖରେ ପଟି ଦିଅଁ ଖଟୁଲି ଉପରେ ଦଶଅବତାର ଠାକୁର ବିଜେ କରିଛନ୍ତି ଅଣସରରେ ଥିବା ଠାକୁରଙ୍କୁ ଚକଟା ଓ ପଣା ଭୋଗ କରାଯାଉଛି । ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ଭକ୍ତ ଓ ସେବାୟତ ।




