ରାଜ୍ୟ ସଭାରେ ଉଠିଲା କେନ୍ଦ୍ରାପଡା ଅଙ୍ଗନବାଡି କେନ୍ଦ୍ରର ଜାତିପ୍ରଥା ଘଟଣା

ରାଜ୍ୟ ସଭାରେ ଉଠିଲା କେନ୍ଦ୍ରାପଡା ଅଙ୍ଗନବାଡି କେନ୍ଦ୍ରର ଜାତିପ୍ରଥା ଘଟଣା
Samaya Live News Picture
Published On

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଅଙ୍ଗନବାଡ଼ିରେ ଜାତିପ୍ରଥାର ନଗ୍ନ ନମୁନା । ରାଜ୍ୟ ସଭାରେ ଉଠିଲା ଜାତିଗତ ଭେଦଭାବ ପ୍ରସଙ୍ଗ ।  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ସହ ହୋଇଥିବା ଜାତିଗତ ଭେଦଭାବ ଘଟଣାକୁ ରାଜ୍ୟସଭାରେ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲୀକାର୍ଜୁନ ଖଡଗେ । ଗୃହରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଖଡଗେ କହିଛନ୍ତି, ଯଦି ଏଥିରେ କାହା ଦ୍ୱାରା ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡେ ତାହାହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଦରକାର । ଏ ପ୍ରସଙ୍ଗରେ କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି ବିରୋଧୀ ଦଳ ନେତା।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ୨୧ତମ ଶତାଦ୍ଦୀରେ ଆମେ ବହୁ ସାମାଜିକ ବିକାଶ ଏବଂ ସାମାଜିକ ସଂସ୍କାର କଥା କହୁଛୁ କିନ୍ତୁ ଓଡ଼ିଶାରେ ଏକ ଦଳିତ ସହାୟିକାଙ୍କ ଦ୍ୱାରା ରନ୍ଧା ଖାଦ୍ୟକୁ ଏକ ବିଶେଷ ସମୁଦାୟର ଲୋକମାନେ ସେମାନଙ୍କ ପିଲାଙ୍କୁ ଖାଇବାକୁ ନଦେବା ପାଇଁ କହିଛନ୍ତି । ଗତ ତିନି ମାସ ଧରି ସେହି ଅଙ୍ଗନବାଡିକୁ ମଧ୍ୟ ବହିଷ୍କାର କରାଯାଉଛି । ଖଡଗେ୍ କହିଥିଲେ ଯେ, ଏହି ଘଟଣା ଦ୍ୱାରା ସମ୍ବିଧାନର ଧାରା ୨୧(କ)ର ଉଲ୍ଲଂଘନ ହୋଇଛି । ଏହାସହ ସମ୍ବିଧାନର ଧାରା ୪୭ରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ତାହାର ମଧ୍ୟ ବ୍ୟତିକ୍ରମ ଘଟିଛି ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଘଡିଆମାଳ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ସହାୟିକା ଭାବେ ନିଯୁକ୍ତି ଦେବାରୁ ଗ୍ରାମବାସୀ ବିରୋଧ କରିଥିଲେ। କେବଳ ଏତିକି ନୁହେଁ, ଗ୍ରାମବାସୀମାନେ ନିଜ ପିଲାଙ୍କୁ ସେଠାରେ ଖାଦ୍ୟ ଖାଇବାକୁ ଦେଇନଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି।

Tags: