ଘୋଡ଼ାହାଡ଼ ଏବଂ ବାଘଲଟି ଜଳଭଣ୍ଡାରର ଖୋଲିଲା ଗୋଟିଏ ଲେଖାଏଁ ଗେଟ
ଗଞ୍ଜାମ: ବାତ୍ୟା ଅକୱାନକୁ ନେଇ ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜଳସ୍ତର ନିୟନ୍ତ୍ରଣ ଏବଂ ଡ୍ୟାମର ସୁରକ୍ଷାକୁ ଦୃଷ୍ଟିରେ ରଖି ଘୋଡ଼ାହାଡ଼ ଏବଂ ବାଘଲଟି ଜଳଭଣ୍ଡାରର ଗୋଟିଏ ଲେଖାଏଁ ଗେଟ ଖୋଲିଛି ଜଳସମ୍ପଦ ବିଭାଗ ।
ରବିବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ସାଇରନ୍ ବଜାଇବା ପରେ ୦.୫୦ ମିଟର ଗେଟ୍ ଖୋଲାଯାଇଛି । ଏଥିରୁ ପ୍ରତି ସେକେଣ୍ଡରେ ୩୪.୭୭ ଘନମିଟର ଜଳ ନିଷ୍କାସିତ ହେଉଛି । ସେହି ସମୟରେ ଜଳଭଣ୍ଡାରର ଜଳସ୍ତର ୧୧୬.୮୬ ମିଟର ରହିଥିଲା। ସେହିପରି ବାଘଲଟି ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍ ଗେଟ୍ ରାତି ପ୍ରାୟ ୧୨:୦୫ ସମୟରେ ୦.୬୦ ମିଟର ଖୋଲାଯାଇଛି, ଯେଉଁଥିରୁ ପ୍ରତି ସେକେଣ୍ଡରେ ୩୦.୭୨ କ୍ୟୁବିକ୍ ମିଟର ଜଳ ନିଷ୍କାସନ କରାଯାଉଛି ।
ସେହିପରି ଜୀବନ୍ତ ଜଳଧାରଣ କ୍ଷମତା ୨,୭୭୩.୯୬ ହେକ୍ଟର ମିଟର ଥିବାବେଳେ ଏହା ମୋଟ ଜୀବନ୍ତ ଜଳଧାରଣ କ୍ଷମତାର ୯୦.୮୮ ପ୍ରତିଶତ।
ଅନ୍ୟପଟେ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନର ପରିମାଣ ଉପରେ ନଜର ରଖାଯାଇଛି । ଏଥିସହ ତଳମୁଣ୍ଡର ସ୍ଥିତିକୁ ମଧ୍ୟ ନିରନ୍ତର ଅନୁଧ୍ୟାନ କରୁଛି ପ୍ରଶାସନ । ବନ୍ଧର ସୁରକ୍ଷା ଏବଂ ନିରାପଦ ଜଳ ପରିଚାଳନା ପାଇଁ ସମସ୍ତ ନିୟମାବଳୀ ପାଳନ କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।




