ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ
ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ଵୟ ବୈଠକ । ପୁରୀ ଟାଉନ ହଲରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଆଗାମୀ ରଥଯାତ୍ରାର ସୁପରିଚାଳନା ନେଇ ବୈଠକରେ ଆଲୋଚନା କରାଯିବ ।
ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଠାରୁ ଆରମ୍ଭ କରି ପାନୀୟଜଳ, ବିଦ୍ୟୁତ, ଗମନାଗମନ, ରଥକାଠ ଯୋଗାଣ, ରଥନିର୍ମାଣ, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ପରିଵହନ ବ୍ୟବସ୍ଥା, ପରିମଳ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ରେଳବାଇର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଭିଡ଼ ନିୟନ୍ତ୍ରଣ, ନିର୍ଦ୍ଧାରିତ ସମୟରେ ରଥଟଣା, ପହଣ୍ଡି ଓ ଅନ୍ୟାନ୍ୟ ରଥଯାତ୍ରା ନୀତିଶୃଙ୍ଖଳା, ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ । ବିଶେଷକରି ଗତବର୍ଷ ଦଳାଚକଟା ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ।
ବୈଠକରେ ରଥଯାତ୍ରା ସହ ଜଡିତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସାମ୍ନାରେ ନିଜନିଜ କାର୍ଯ୍ୟର ଅଗ୍ରଗତିକୁ ଉପସ୍ଥାପନା କରିବେ । ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିବେ ରହିବେ ।
Tags:



