ଏପ୍ରିଲ ୧୬ରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା
ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେଉଛି ଜନଗଣନା ପ୍ରଥମ ପର୍ଯ୍ୟାୟ । ମେ’ ୧୫ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ଚାଲିବାକୁ ଥିବା ଜନଗଣନାରେ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ।
ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହ ତାଲିକା ପ୍ରସ୍ତୁତ ହେବ । ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ସେଲଫ ଏନୁମିରେସନ ପୋର୍ଟାଲ ମାଧ୍ୟମରେ ନିଜେ ନିଜ ସୂଚନା ଦେଇପାରିବେ।
ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବ । ବୋଲି ଜନଗଣନା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଜନଗଣନାର ପ୍ରଚାର ପ୍ରସାର ସକାଶେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସାଡର୍ ଭାବରେ କାର୍ଯ୍ୟ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।
ରାଜ୍ୟରେ ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ୧ ଲକ୍ଷରୁ ଅଧିକ ଗଣନାକାରୀ ଓ ୧୭ ହଜାରରୁ ଅଧିକ ସୁପରଭାଇଜର ନିଯୁକ୍ତ ହେବେ । ୯୧ ଟି NAC, ୪୮ଟି ମ୍ୟୁନିସିପାଲିଟି, ୫ଟି ମ୍ୟୁନିସିପାଲ୍ କର୍ପୋରେସନରେ ଗଣନା କାର୍ଯ୍ୟକ୍ରମ ଜାରି ରହିବ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର କମିସନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଅଧୀନରେ ପ୍ରତ୍ୟେକ ତହସିଲଦାର ଓ ବୈଧାନିକ ସହରଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ୦୨୭ ଫେବ୍ରୁଆରିରେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ଅନୁଷ୍ଠିତ ହେବ ।



