ଖୁବଶୀଘ୍ର ହେବ ପୋଲିସ ଏସଆଇ ପଦବୀ ଲାଗି ସାନି ପରୀକ୍ଷା
ଭୁବନେଶ୍ୱର: ପୋଲିସ ଏସଆଇ (ସବ-ଇନ୍ସପେକ୍ଟର) ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସି ଖବର । ଚାକିରି ପାଇଁ ଦୀର୍ଘ ୪ ବର୍ଷ ବଡ଼ ଅପେକ୍ଷାର ଘଟିବ ଅନ୍ତ। ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରୁ ଲିଖିତ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ବାତିଲ ହୋଇଥିବା ପରୀକ୍ଷା ପରେ ଏହି ସାନି ପରୀକ୍ଷା ପ୍ରକ୍ରିୟାକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରୀକ୍ଷା ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) ବଦଳରେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ଦ୍ୱାରା ପରିଚାଳିତ ହେବ । ଏନେଇ ସୂଚନା ଦେଇଛନ୍ତି OUSSSC ଅଧ୍ୟକ୍ଷ ରଶ୍ମି ରଂଜନ ସ୍ବାଇଁ।
ଆଶାୟୀଙ୍କ ଆବେଦନପତ୍ରର ପୂନଃ ଯାଞ୍ଚ କରିବା ପାଇଁ ଖୋଲିବ ୱେବ ସାଇଟ। ଆଶାୟୀ ନିଜର ଆବେଦନ ପତ୍ରର ଯାଞ୍ଚ କରି ସାରିବା ପରେ ଖୁବଶୀଘ୍ର ପରୀକ୍ଷାର ଆଡମିଟ କାର୍ଡ ପଠାଯିବ । ତେବେ ଯେଉଁ ଆଶାୟୀମାନେ ପୂର୍ବରୁ ଏହି ପଦବୀ ପାଇଁ ସଫଳତାର ସହ ଆବେଦନ କରି ସାରିଛନ୍ତି, ସେମାନଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ। ସେମାନଙ୍କ ଡାଟା ସୁରକ୍ଷିତ ଭାବେ OUSSSC କୁ ହସ୍ତାନ୍ତର କରାଯାଇଛି ।
ନଭେମ୍ବର ମାସରେ ପରୀକ୍ଷା ହୋଇ ଡିସେମ୍ବର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସରିବ। ନଭେମ୍ବର ଦ୍ବିତୀୟ ସପ୍ତାହରୁ ଲିଖିତ, ପରେ ଶାରୀରିକ ପରୀକ୍ଷା ସହ ପ୍ରକାଶ ପାଇବ ସର୍ଟଲିଷ୍ଟ ତାଲିକା ।
ପୂର୍ବରୁ ପ୍ରକାଶ ପାଇଥିବା ନୋଟିଫିକେସନ ଅନୁସାରେ ହିଁ ପରୀକ୍ଷା କରାଯିବ । OUSSSC ପକ୍ଷରୁ ଏହି ପରୀକ୍ଷୀକୁ ଅନଲାଇନ ନୁହେଁ ବଂର OMR ସିଟ ଜରିଆରେ କରାଯିବ। ଏଥର ଆଉ ଥାର୍ଡ ପାର୍ଟି ନୁହେଁ ସିଧାସଳଖ କମିଶନ ପରୀକ୍ଷା କରାଇବେ ଏବଂ ଏହା ଅବାଧ ଓ ସ୍ବଚ୍ଛତା ଭିତିରେ ହେବ ବୋଲି କମିଶନ ସୂଚନା ଦେଇଛନ୍ତି । ପରୀକ୍ଷାରେ କୌଣସି ପ୍ରକାର ଅନିୟମିତତା ବା ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ OUSSSC ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।




