ନଭେମ୍ବର ୧ରୁ ବଦଳିବ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ସମୟ
ଭୁବନେଶ୍ୱର : ନଭେମ୍ବର ୧ ରୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯିବ। ମନ୍ଦିର ଭିତରେ ଜିର୍ଣ୍ଣୋଦ୍ଧାର କାର୍ଯ୍ୟ ହେବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସଂଶୋଧିତ ସମୟସାରଣୀ ଅନୁଯାୟୀ, ଅପରାହ୍ନ ୨ଟା ସୁଦ୍ଧା ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ଶେଷ କରାଯିବ । ଏହା ପରେ ଗର୍ଭଗୃହର ମରାମତି ଏବଂ ସଫେଇ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯିବ । ସଫେଇ କାର୍ଯ୍ୟ ଯଥାସମୟରେ ଶେଷ କରିବା ପାଇଁ ଏଥିରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ୪ ରୁ ୬ କୁ ବୃଦ୍ଧି କରାଯାଇଛି ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ୨୦ ଜଣ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଦଳ ନିୟୋଜିତ ହୋଇଛନ୍ତି । ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବାୟତ ନିଯୋଗର ଏକ ବୈଠକରେ ଏହି କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯାଇଛି ।
ଏହା ପୂର୍ବରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) ଦ୍ୱାରା ଗର୍ଭଗୃହର ଜରୁରୀକାଳୀନ ମରାମତି କାର୍ଯ୍ୟ କରିବାକୁ ମନ୍ଦିର ପ୍ରଶାସନ ଅନୁମୋଦନ ଦେଇଥିଲା। ସେପ୍ଟମ୍ୱର ୨୨ ତାରିଖରେ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ଭାରିମଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ସେବାୟତ ଗୋଷ୍ଠୀର ସମ୍ପାଦକମାନେ ଉପସ୍ଥିତ ଥିଲେ। ମରାମତି କାର୍ଯ୍ୟ ଚାଲିଥିବା ସମୟରେ ଦେବତାଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ନିର୍ବିଘ୍ନରେ ଚାଲିପାରିବ, ସେ ବିଷୟ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।




