ମହିଳାଙ୍କ ସୁରକ୍ଷାରେ ୩୪ ତମ ସ୍ଥାନରେ ରାଜଧାନୀ
ଭୁବନେଶ୍ୱର : ଦେଶରେ ମହିଳାଙ୍କ ପାଇଁ କେଉଁ ସହର ସୁରକ୍ଷିତ ତାହାର ଏକ ତାଲିକା ପ୍ରକାଶ ପାଇଛି। ଅବତାର ଗ୍ରୁପ୍ ପକ୍ଷରୁ ପ୍ରକାଶିତ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ, ଦେଶର ୧୨୫ ସହର ମଧ୍ୟରେ ଭୁବନେଶ୍ୱର ୩୪ତମ ସ୍ଥାନ ହାସଲ କରିଛି। ଭୁବନେଶ୍ୱର ସମୁଦାୟ ୨୦.୦୯ ସ୍କୋର କରିବାରେ ସକ୍ଷମ ହୋଇଛି।
ସର୍ଭେର ଆଇଆଇଏସ୍ (ଇଣ୍ଡଷ୍ଟ୍ରିଆଲ ଇନ୍କୁ ଜନ ସ୍କୋର) ବର୍ଗରେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଛି। ଏହା ସୂଚାଉଛି ଯେ ଏହି ସହରରେ ବିଭିନ୍ନ ପ୍ରତିଷ୍ଠାନ ଓ ଶିଳ୍ପସଂସ୍ଥାରେ ମହିଳାଙ୍କ ନିଯୁକ୍ତି, ସୁରକ୍ଷିତ କାର୍ଯ୍ୟକ୍ଷେତ୍ର, ଗମନାଗମନ ସୁବିଧା ଏବଂ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି। ତେବେ, ଏସ୍ଆଇଏସ୍ (ସୋସିଆଲ ଇନ୍କ୍ରୁଜନ୍ ସ୍କୋର) ବର୍ଗରେ ଭୁବନେଶ୍ୱର ଆହୁରି ତଳେ ଅର୍ଥାତ୍ ୬୧ତମ ସ୍ଥାନରେ ରହିଛି।
ବେଙ୍ଗାଲୁରୁ ସର୍ବାଧିକ ୫୩.୨୯ ସ୍କୋର କରି ତାଲିକାର ଶୀର୍ଷରେ ରହିଥିବାବେଳେ, ଚେନ୍ନାଇ ଦ୍ୱିତୀୟ, ପୁନେ ତୃତୀୟ, ହାଇଦ୍ରାବାଦ ଚତୁର୍ଥ ଏବଂ ମୁମ୍ବାଇ ପଞ୍ଚମ ସ୍ଥାନରେ ଅଛନ୍ତି।
ଗତବର୍ଷ ଅଗଷ୍ଟରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ସପ୍ତମ ସୁରକ୍ଷିତ ସହର ଭାବରେ ସ୍ଥାନ ପାଇଥିଲା। ଏହି ତୁଳନାରେ ଏ ବର୍ଷର ମାନ୍ୟତା ୩୪କୁ ଖସି ଆସିଛି ।
ଅନ୍ୟପଟେ କିନ୍ତୁ ଜାତୀୟ ମହିଳା କମିଶନ (NCW) ଏବଂ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ (NIE) ୨୦୨୫ ରିପୋର୍ଟରେ ମହିଳାମାନଙ୍କ ପାଇଁ ଭାରତର ସବୁଠାରୁ ସୁରକ୍ଷିତ ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନିତ ହୋଇଛି । କୋହିମା, ବିଶାଖାପାଟଣା, ଆଇଜଲ୍, ଗ୍ୟାଙ୍ଗଟକ୍ ଏବଂ ମୁମ୍ବାଇ ଭଳି ସହରର ଦୃଢ଼ ଭିତ୍ତିଭୂମି, ପୋଲିସିଂ ଏବଂ ଅନ୍ତର୍ଭୁକ୍ତିମୂଳକ ନୀତି ଭଳି ରାଜଧାନୀ ଭୁବନେଶ୍ୱରର ମଧ୍ୟ ସମାନତା ରହିଛି ବୋଲି ଦର୍ଶାଯାଇଛି ।
ଭୁବନେଶ୍ୱର ନିରନ୍ତର ଭାବରେ ମହିଳାମାନଙ୍କ ପାଇଁ ଏକ ପ୍ରମୁଖ ସୁରକ୍ଷିତ ସହର ଭାବରେ ତାଲିକାଭୁକ୍ତ ହୋଇଛି । ସୁରକ୍ଷା ଭିତ୍ତିଭୂମି, ସାମ୍ପ୍ରଦାୟିକତା ଏବଂ ଲିଙ୍ଗଗତ ସମାନତା ଆଧାରରେ ଏହା ମହିଳାଙ୍କ ପାଇଁ ସୁରକ୍ଷିତ ବୋଲି ଉଲ୍ଲେଖ କରିଛି।



