୭୮ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର
୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ
ଭୁବନେଶ୍ୱର : ଆଜି ରାଜଧାନୀର ପ୍ରତିଷ୍ଠା ଦିବସ । ୭୮ ବର୍ଷରେ ପାଦ ଥାପିଲା ମାୟାନଗରୀ ଭୁବନେଶ୍ୱର। ଏଥିପାଇଁ ଗତକାଲିଠୁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠ, ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଆଲୋକ ମାଳାର ସାଜସଜ୍ଜା।
୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" । ୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ। ସେହିଦିନ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ ।
ଭୁବନେଶ୍ୱର ସହରର ଇତିହାସ ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି । ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି ।
ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି ଭାବେ ଜଣାଶୁଣା ।
ଆଜି ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମସି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି ।



